ରାସ୍ତା ଉପରେ ଇଟା ପକାଇ ଅବରୋଧ; ଜନ ସାଧାରଣ ହନ୍ତସନ୍ତ
ଯୋଡା,(ସମୀର କୁମାର ଦାସ): ଯୋଡା ସହରର ମୁଖ୍ୟ ବଜାର ଦେଇ ବାମେବାରୀ ଆଡକୁ ଯାଇଥିବା ରାଜ୍ୟ ରାଜପଥ ଉପରେ ଇଟା ପକାଯାଇଥିବାରୁ ବ୍ୟାପକ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ଶହଶହ ଛୋଟବଡ ଯାନବାହାନ ଏହାଦ୍ୱାରା ଯୋଡାରୁ କମାରଯୋଡା ଯାଏଁ ଜାମ୍ରେ ଅଟକି ରହିଥିଲେ । ସକାଳ ପ୍ରାୟ ୯ ଘଟିକା ଠାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ୍ ସମସ୍ୟା ବିଷମ ରୂପ ନେଇଥିଲା । ଏହାର କାରଣ ସମ୍ପର୍କରେ ଯୋଡା ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯୋଡା ବଜାର ଭିତରେ ଥିବା ଶୌଚାଳୟର ମରାମତି କାର୍ଯ୍ୟ ପାଇଁ ସମ୍ପୃକ୍ତ କନ୍ଟ୍ରାକ୍ଟର ପକ୍ଷରୁ ଇଟା ପକାଯାଇଥିଲା । ଏହାକୁ ଶୀଘ୍ର ଉଠାଇ ଦିଆଯିବ । ତେଣେ ବାଇକ ଆରୋହୀ ଶମ୍ଭୁନାଥ କାରୁଆ, ବିପ୍ଳବ ସେଠୀ, ଅଞ୍ଜନ ପାତ୍ର, ଶୁକଦେବ ଲୋହାର, ବୈରାଗୀ ମହାନ୍ତ ପ୍ରମୁଖ ତାଙ୍କ ଅଭିଯୋଗରେ କହିଥିଲେ ଯେ, ପୌରପାଳିକାର ଦାୟିତ୍ୱହୀନ କାର୍ଯ୍ୟ ଯୋଗୁଁ ଟ୍ରାଫିକ୍ ସମସ୍ୟା ହେଉଛି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଅନୁଶାସନର ଅଭାବ ହେତୁ କନ୍ଟ୍ରାକ୍ଟର ମନମୁଖୀ କାର୍ଯ୍ୟ କରୁଛି । ଏହି ରାସ୍ତା ପାଶ୍ୱର୍ରେ ପରିବା ଓ ମାଛ ବଜାର ରହିଥିବାରୁ ସାଧାରଣ ଲୋକଙ୍କ ଭିଡ ହୋଇଥାଏ । ଏହି ଟ୍ରାଫିକ୍ ସମସ୍ୟା ଯୋଗୁଁ ଉଠା ଦୋକାନୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ହନ୍ତସନ୍ତ ହୋଇଥିଲେ ।


