ରିଆତି ଟ୍ରେନ ବ୍ୟବସ୍ଥା

ବାଲେଶ୍ୱର, (ସରୋଜ ପଣ୍ଡା) :-ସହଜ ଓ ଅପେକ୍ଷାକୃତ କମ ଖର୍ଚ୍ଚରେ ଉତର ଭାରତର ଦର୍ଶନୀୟ ତଥା ତୀର୍ଥସ୍ଥାନ ଭ୍ରମଣ ପାଇଁ ‘ଭାରତୀୟ ରେଳ ଖାଦ୍ୟ ପ୍ରସ୍ତୁତକାରୀ ଏବଂ ପର୍ଯ୍ୟଟନ ନିଗମ’ (ଆଇଆରସିଟିସି) ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ରିଆତି ଟ୍ରେନ ବ୍ୟବସ୍ଥା । ସମସ୍ତ ପ୍ରକାର ସୁବିଧା ମଧ୍ୟରେ ଓଡ଼ିଶାରୁ ଅଧିକ ଯାତ୍ରୀ ଏହାର ସୁଯୋଗ ନେବାକୁ ‘ଆଇଆରସିଟିସି’ର ଭୁବନେଶ୍ୱର ଆଞ୍ଚଳିକ ଶାଖା ପରିଚାଳକ ଡ.କ୍ରାନ୍ତି ପି ସାବରକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଜନସାଧାରଣଙ୍କୁ ନିୟମିତ ବ୍ୟବଧାନରେ ଦେଶ ଭ୍ରମଣ ପାଇଁ ଏହି ନିଗମ ରିଆତି ବ୍ୟବସ୍ଥା କରିଥାଏ ବୋଲି ସେ କହିଛନ୍ତି । ସାମ୍ପ୍ରତିକ କରୋନା ସଂକ୍ରମଣ ସ୍ଥିତି କ୍ରମଶଃ ହ୍ରାସ ପାଇ ଚାଲିଥିବା ବେଳେ ଆସନ୍ତା ମାର୍ଚ୍ଚ ୧୯ ତାରିଖରୁ ୭ଶହ ସିଟ ବିଶିଷ୍ଟ ଏହି ସ୍ୱତନ୍ତ୍ର ରିଆତି ଟ୍ରେନ ଆନ୍ଦ୍ର ପ୍ରଦେଶର ରାଜମଣ୍ଡ୍ରିରୁ ୯ ଦିନିଆ ଯାତ୍ରା ଆରମ୍ଭ କରିବ ବୋଲି ଶ୍ରୀମତୀ ସାବରକର ସୂଚନା ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶାର ବ୍ରହ୍ମପୁର, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ଓ ବାଲେଶ୍ୱର ପ୍ରଭୃତି ରେଳ ଷ୍ଟେସନରୁ ଯାତ୍ରୀମାନେ ଏହି ଟ୍ରେନରେ ଯିବେ । ଏହି ଟ୍ରେନ ପ୍ରଥମେ ଆଗ୍ରାର ତାଜମହଲ, ଆଗ୍ରା ଫୋର୍ଟ ପରେ ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରା ଓ କତରାର ବୈଷ୍ଣବଦେବୀ ମନ୍ଦିର, ପଞ୍ଜାବ ଅମୃତସର ସ୍ୱର୍ଣ୍ଣ ମନ୍ଦିର, ଭାରତ-ପାକିସ୍ତାନର ସୀମା ଫାଟକ ଏବେ ଶେଷରେ ହରିଦ୍ୱାରର ମନସା ଦେବୀ ଦର୍ଶନ, ଗଙ୍ଗା ଆରତି ପ୍ରଭୃତି ଦେଖିବା ପାଇଁ ସୂଚୀ ରହିଛି । ୯ଦିନ ଓ ୮ ରାତିର ଏହି ଯାତ୍ରା କାଳରେ ଆଇଆରସିଟିସି ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସେବା ପ୍ରଦାନ କରାଯିବ । କଡ଼ା ନିରାପତ୍ତା ସାଙ୍ଗକୁ ସମସ୍ତ ଯାତ୍ରୀଙ୍କୁ ବୀମାଭୁକ୍ତ କରାଯିବା ସମ୍ପର୍କରେ ଆଞ୍ଚଳିକ ପରିଚାଳକ ଡ. ସାବରକର ସୂଚନା ଦେଇଛନ୍ତି । ସାଧାରଣ ଯାତ୍ରୀଙ୍କ ନିମନ୍ତେ ଜଣପ୍ରତି ୮,୫୧୦ ଓ ଆରାମଦାୟକ ଯାତ୍ରା ସୁବିଧା ପାଇଁ ଜଣପ୍ରତି ୧୦,୪୦୦ ଟଙ୍କାର ଟିକଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଏହାର ସୁଯୋଗ ନେବା ସହ ଆବଶ୍ୟକ ସ୍ଥଳେ ଅନଲାଇନରେ ସିଟ ବୁକ କରିପାରିବେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଡ. ସାବରକରଙ୍କ ସମେତ ଭୁବନେଶ୍ୱର ପର୍ଯ୍ୟଟନ ବିଭାଗ ସହକାରୀ ଅଧିକାରୀ ରାକେଶ ବିଶ୍ୱାଳ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ