ରେକର୍ଡ କଲେ ଶିବରାଜ ସିଂହ ଚୌହ୍ୱାନ
ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିନା ମନ୍ତ୍ରିମଣ୍ଡଳରେ ଏକାକୀ ସର୍ବାଧିକ ସମୟ ସରକାର ଚଳାଇ ରେକର୍ଡର ଅଧିକାରୀ ହୋଇଛନ୍ତି । କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ତାଲାବନ୍ଦ ଘୋଷଣାର ଅବ୍ୟବହିତ ପୂର୍ବରୁ ମାର୍ଚ୍ଚ ୨୩ ରାତିରେ ଶିବରାଜ ଅତି ତରବରିଆ ଭାବେ ଏବଂ ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ରାଜଭବନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । କରୋନା ସଂକ୍ରମଣର ମୁକାବିଲା ତାଙ୍କର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେବ ବୋଲି ସେତେବେଳେ ସେ କହିଥିଲେ । ଇତି ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ହେବା ୨୬ ଦିନ ଅତିକ୍ରମ ହେଲାଣି କିନ୍ତୁ ଶିବରାଜ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳର ଗଠନ କରି ନାହାନ୍ତି । ଏ ସମ୍ପର୍କରେ କଂଗ୍ରେସ ରାଜ୍ୟସଭା ସାଂସଦ ବିବେକ ଟଙ୍କ ସୂଚନା ଦେବା ସହ ଚୌହାନଙ୍କୁ ଶୁଭେଚ୍ଛା ଜଣାଇବାରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚୌହାନଙ୍କ ପୂର୍ବରୁ ବିନା ମନ୍ତ୍ରିମଣ୍ଡଳରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ଥିଲେ କର୍ଣ୍ଣାଟକ ବିଜେପି ନେତା ବି.ଏସ ୟେଦୂରପ୍ପା । ସେ ଏକୁଟିଆ ୨୪ ଦିନ ଶାସନ ଚଳାଇଥିଲା । ଉଭୟ ଚୌହାଣ ଓ ୟେଦୁରାପ୍ପା ଚତୁର୍ଥ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ଦଳ ବଦଳର ମାଧ୍ୟମରେ କ୍ଷମତାକୁ ଫେରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହିତ ତାଙ୍କ ସମର୍ଥକ ୨୦ ରୁ ଅଧିକ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ମିଶିବା ଫଳରେ କମଳ ନାଥଙ୍କ ସରକାର ଭାଙ୍ଗି ଯାଇଥିଲା ଓ ଶିବରାଜ ରାଜ୍ୟ ଶାସନକୁ ଫେରିଥିଲେ । ତାଙ୍କ ମନ୍ତ୍ରିମଣ୍ଡଳରେ ସିନ୍ଧିଆଙ୍କ ସମର୍ଥକ ୬ ଜଣ ବିଧାୟକ ମନ୍ତ୍ରୀ ହେବା ନିଶ୍ଚିତ ଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇନାହିଁ । ଏଭଳି ସ୍ଥିତିରେ ରାଜ୍ୟବାସୀ କିପରି ଥିବେ ତାହା ବିଜେପି ନେତାମାନେ ଭାବିବା ଉଚିତ ବୋଲି ଟଙ୍କ କହିଛନ୍ତି । କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଆନୁପାତିକ ଭାବେ ଇନ୍ଦୋର ଓ ଭୋପାଳରେ ଦେଶରେ ସର୍ବାଧିକ ବୋଲି ଏହି ବରିଷ୍ଠ ଆଇନଜୀବୀ ଚେତାଇ ଦେଇଛନ୍ତି । ଚୌହାଣ କିଛି ଦିନ ପୂର୍ବେ କହିଥିଲେ ଯେ ମନ୍ତ୍ରିମଣ୍ଡଳ ଗଠନ ପାଇଁ ତାଙ୍କ ପାଖରେ ସମୟ ନାହିଁ । ଏବେ ସେ ତାଙ୍କ କାମ କରୁଥିବା କହିଛନ୍ତି ।


