ରୋହିଆ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକସ୍ଥିତ ରୋହିଆ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭାରତୀୟ ସଂସ୍କୃତି ମହାନ । ଏହି ବିଶ୍ୱରେ କେହି ଲେଡିଜ କି କେହି ଜେଂଟିଲମ୍ୟାନ ନୁହଁନ୍ତି ସମସ୍ତେ ଭାଇ ଭଉଣୀ । ତେଣୁ ନିଜକୁ ନିଜ ମଧ୍ୟରେ ନ ଦେଖି ଅନ୍ୟକୁ ଦେଖିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏଥିରେ ସମ୍ମାନୀତ ଅତିଥି ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ , ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶୋରୀ ମହାପାତ୍ର ଯୋଗ ଦେଇ ଭଲ ମଣିଷ ହୋଇ ନିଜକୁ ଗଢି ତୋଳିପାରିଲେ ଏ ଅଂଚଳର ସୁନାମ ବୃଦ୍ଧି ପାଇବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ସଂଜୟ କୁମାର ସାହାଣୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଅର୍ଜ୍ଜୁନ ଚରଣ ରାଉତ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର ଆଦି ପ୍ରମୂଖ ଉପସ୍ଥିତ ଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ପ୍ରତିମୃତୀ ସହିତ ସୁବର୍ଣ୍ଣ ଜୟନ୍ତୀ ସ୍ମୃତିସ୍ତମ୍ଭ ଉନ୍ମୋଚନ କରାଯାଇଥିଲା ।ପରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଧାରୀ ମହାନ୍ତି, ନୃସିଂହ ଚରଣ ମହାନ୍ତି, ସନ୍ତୋଷ କୁମାର ରାଉତଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଦିତ କରିଥିଲେ । ଅଭିନନ୍ଦନ ଦାସ ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିଥିବା ବେଳେ ସୋମବାର ଏହାର ଉଦଯାପନ କରାଯିବ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଉକ୍ତ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମର ପ୍ରଥମ ଦିନରେ ପବିତ୍ର ଧର୍ମକ୍ଷେତ୍ର ଅଲଣାରୁ ଆଜ୍ଞାମାଳ ଓ ଦିବ୍ୟଜ୍ୟୋତି ଆଗମନ କରାଯାଇଥିଲା । ଏହି ଜୟନ୍ତୀ ସମାରୋହରେ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।


