ଲକ୍ଷ୍ମଣ ମଲ୍ଲିକ ଥିଲେ ଜଣେ ଦରଦୀ ଜନନେତା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଲେ ଯେ, ଲକ୍ଷ୍ମଣବାବୁ ପ୍ରକୃତରେ ଥିଲେ ଜଣେ ଦରଦୀ ଜନନେତା । ପ୍ରତ୍ୟେକ ବ୍ୟକ୍ତିର ଅସୁବିଧା ସମୟରେ ସେ ତାଙ୍କ ପାଖରେ ଠିଆ ହେବାର ବହୁ ଉଦାହରଣ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କ ଠାରୁ ଆରମ୍ଭ କରି ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କର ସେ ଥିଲେ ଅସମୟର ବନ୍ଧୁ ।
ଲକ୍ଷ୍ମଣ ମଲ୍ଲିକ ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଅନୁଷ୍ଠାନର ସ୍ଥାୟୀ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠିତ ୮ମ ଶ୍ରାଦ୍ଧ ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂର୍ବତନ ମନ୍ତ୍ରୀ ଶ୍ରୀ କାନୁନଗୋ ଉଦ୍ଘାଟନ କରିବା ସହ ସ୍ୱର୍ଗତ ମଲ୍ଲିକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ ।ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସ୍ୱର୍ଗତ ମଲ୍ଲିକଙ୍କୁ ଜଣେ ନିରହଙ୍କାରୀ ବିବାଦଶୂନ୍ୟ ବ୍ୟକ୍ତିତ୍ୱ ବୋଲି କହିଥିଲେ । ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ସମାଜରେ ଏହିଭଳି ମଣିଷମାନେ ଥିଲେ ବୋଲି ଆମର ଉତ୍ତରପୀଢି ମନେ ରଖିବେ କି ନାହିଁ ଆଜି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତଳେ ପଡ଼ିଥିବା ପ୍ରତ୍ୟେକଟି ମଣିଷର ଉତ୍ଥାନ ପାଇଁ ତାଙ୍କର ଚେଷ୍ଟାକୁ ଏ ଜାତି ଭୁଲିପାରିବ ନାହିଁ । ଜଗତସିଂହପୁରକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଜିଲ୍ଲା କରିବାରେ ତାଙ୍କର ପ୍ରଚ୍ଛନ୍ନ ହାତ ଥିଲା, କିନ୍ତୁ ଆମେ ତାର ମୂଲ୍ୟାୟନ କରିପାରୁ ନାହୁଁ । ପୂର୍ବତନ ଡିନ୍ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଶ୍ରୀ ଜ୍ଞାନଦେବ ବେଉରା, ଶ୍ରୀ ପୁଷ୍ପରାଜ ପ୍ରଧାନ, ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ କହିଲେ ଯେ, ସ୍ୱର୍ଗତ ମଲ୍ଲିକ ଜଣେ ସଂସ୍କାରୀ ମଣିଷ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମାକର ଗୁରୁ, ପ୍ରଶାନ୍ତ ଶତପଥୀ, ଅମିୟ ପାଣ୍ଡବ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନୁଷ୍ଠାନର ସମ୍ପାଦକ ସୀତାବଲ୍ଲଭ ମହାପାତ୍ର ସ୍ୱାଗତ ଭାଷଣ ଓ ହୀତେଶ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ନିଖିଳେଶ ମଲ୍ଲିକ, ବରୁଣ ରାଜ ପରିଚାଳନା କରିଥିଲେ ।


