ଲକ୍ ଡାଉନ୍ ଯୋଗୁ ଭୋକଉପାସରେ ଦିନ କାଟୁଛନ୍ତି ସାବିତ୍ରୀ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ଲକ୍ ଡାଉନ୍ ଯୋଗୁ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମର ସାବିତ୍ରୀ ଯେନା(୬୪) ଭୋକଉପାସରେ ଦିନ କାଟୁଥିବା ଦେଖାଯାଇଛି । ଏଥିସହିତ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ସରକାରୀ ସହାୟତା ବୋଲି କେବଳ ୫ କିଗ୍ରା ଚାଉଳ ମାସକୁ ପାଉଛନ୍ତି । ପରିବାରରେ ଆଉ ତାଙ୍କର କେହି ନାହାନ୍ତି । ସେ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ଅଟନ୍ତି । ନା ଅଛି ଭତ୍ତା ନା ଅଛି ଘର । ସେ ଘର ଘର ବୁଲି ଗୁହାଳ ଖୋଲି ପେଟ ପୋଷୁଛନ୍ତି । ଏବେ ସାରା ବିଶ୍ୱରେ କରୋନା ମହାମାରୀ ପ୍ରଭାବ ଯୋଗୁ କେହି ବି ଘରେ କାମଧନ୍ଦା କରାଇ ଦେଉନାହାନ୍ତି । ଫଳରେ ଚଳିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ସେ ବାରମ୍ବାର ଭତ୍ତା ପାଇଁ ପ୍ରଶାସନ ପାଖରେ ଗୁହାରୀ କରିଥିଲେ ମଧ୍ୟ ଅଦ୍ୟାବଧି ଭତ୍ତା ହୋଇପାରିନାହିଁ । ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଉପାସ ରହୁଛନ୍ତି । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସେ ଦାବୀ କରିଛନ୍ତି ।


