ସାନଭାଇଙ୍କୁ ହତ୍ୟା ଉଦ୍ୟମ ଘଟଣା: ବଡ଼ ଭାଇ, ପୁତୁରା ଗିରଫ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁହାଳପୁର ଗ୍ରାମର  କହ୍ନେଇ ପ୍ରଧାନ ଙ୍କୁ ହତ୍ୟା ଉଦ୍ୟମ ଘଟଣା ରେ ଦିଗପହଣ୍ଡି ପୋଲିସ ମଙ୍ଗଳବାର କହ୍ନେଇ ଙ୍କ ବଡ଼ଭାଇ ହରି ପ୍ରଧାନ(୬୨) ଏବଂ ପୁତୁରା ବାଲ୍ମୀକି ପ୍ରଧାନ ଓରଫ ସିପୁ(୨୬) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ମାମଲା ନଂ.୨୦୦/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୧୯୧(୨)/୧୯୧(୩)/୩୩୩/୨୯୬/୧୧୫(୨)/୧୧୭(୨)/୧୦୯/୧୫୧(୨)/୧୯୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ବାପ,ପୁଅ ଦ୍ବୟ ଙ୍କୁ ଦିଗପହଣ୍ଡି ଉପ କାରାଗାର କୁ ପଠାଇ ଦିଆଯାଇଛି।ପୈତୃକ ଚାଷଜମି ଭାଗ ବଣ୍ଟନ କୁ କେନ୍ଦ୍ରକରି ଗତ କିଛିବର୍ଷ ହେଲା ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା।ଗତ ମେ ୧ ତାରିଖ ସନ୍ଧ୍ୟା ପ୍ରାୟ ସାଢେ ୭ ଟାରେ ହରି ଏବଂ ତାଙ୍କ ପୁଅ ବାଲ୍ମୀକି ପ୍ରଧାନ , ରିପୁ ପ୍ରଧାନ,ସ୍ତ୍ରୀ ପଦ୍ମା ପ୍ରଧାନ,ଜ୍ବାଇଁ ନିରଞ୍ଜନ ପ୍ରଧାନ ବିଭିନ୍ନ ମାରଣାସ୍ତ୍ର ଧରି କହ୍ନେଇ ଙ୍କ ଘରେ ପଶି ତାଙ୍କୁ ଜବରଦସ୍ତ ଘର ବାହାରକୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ।ତାଙ୍କ ମୁଣ୍ଡ ଓ ମୁହଁ ରେ ଗୁରୁତର ଆଘାତ ଲାଗିଥିଲା। କହ୍ନେଇ ଙ୍କୁ ଚେତା ଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ   ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଥିଲା।ଏନେଇ କହ୍ନେଇ ଙ୍କ ସ୍ତ୍ରୀ ଅନୁସୁୟା ପ୍ରଧାନ ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନାଧିକାରୀ କିଶୋର କୁମାର ସାମଲ ସମସ୍ତ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ।ଘଟଣା ପରଠାରୁ ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିଲେ।ମଙ୍ଗଳବାର ସକାଳେ ଅଭିଯୁକ୍ତ ହରି ଏବଂ ତାଙ୍କ ପୁଅ ବାଲ୍ମୀକି ଘରେ ପହଞ୍ଚିଥିବା ଖବରପାଇ ପୁଲିସ ଟିମ୍ ତାଙ୍କ ଘରେ ଅତର୍କିତ ଚଢାଉ କରି ବାପ,ପୁଅ ଙ୍କୁ ଗିରଫ କରି ଥାନାକୁ ଉଠାଇ ଆଣିଥିଲେ।ପୂର୍ବରୁ ଅଭିଯୁକ୍ତ ହରି ଙ୍କ ପୁଅ ବାଲ୍ମୀକି ଓରଫ ସିପୁ, ରିପୁ,କେ. ନୂଆଗାଁ ଥାନା ତଣ୍ଡିପୁର ଗ୍ରାମର ଜ୍ବାଇଁ ନିରଞ୍ଜନ ପ୍ରଧାନ,ସ୍ତ୍ରୀ ପଦ୍ମା କହ୍ନେଇ ଙ୍କ ଘରେ ପଶି ପରିବାର ଲୋକଙ୍କୁ ଗାଳି କରି ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।ଏନେଇ  କହ୍ନେଇ ଙ୍କ ଝିଅ ସୁନା ପ୍ରଧାନ ଗତ ଏପ୍ରିଲ ୧୫ ତାରିଖରେ ଦିଗପହଣ୍ଡି ଥାନାରେ ରିପୋର୍ଟ ଦେଇଥିଲେ । ରିପୋର୍ଟ ପ୍ରକାରେ ଥାନା କେସ ନଂ.୧୫୮/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା -୩୨୯(୪)/୨୯୬/୧୧୫(୨)/୩୫୧(୪)/୩(୫) ଅନୁଯାୟୀ ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା। ଏହି ମାମଲା କୁ କେନ୍ଦ୍ରକରି ଅଭିଯୁକ୍ତ ମାନେ ଗତ ମେ ୧ ତାରିଖ ସନ୍ଧ୍ୟା ରେ କହ୍ନେଇ ଙ୍କୁ ହତ୍ୟା ଉଦ୍ୟମ କରିଥିଲେ ବୋଲି ତଦନ୍ତରୁ ଜଣାପଡ଼ିଥିବା ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ