ଲାଞ୍ଚ ଅଭିଯୋଗରେ ପୂର୍ବତନ ଡାକ୍ତରଙ୍କୁ ୩ ବର୍ଷ ଜେଲ
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଧର୍ମଗଡ଼ ଡାକ୍ତରଖାନାର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଅଜିତକୁମାର ନେଗୀଙ୍କୁ ଏକ ପ୍ରସୁତି ମାମଲା ନିମନ୍ତେ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ମାମଲାରେ ଚୂଡାନ୍ତ ରାୟ ଆଜି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ପ୍ରକାଶ କରି ଲାଞ୍ଚୁଆ ଡାକ୍ତର ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡଆଦେଶ କରିଛନ୍ତି lଜରିମାନା ଅର୍ଥ ଅଣଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତିl ୨୦୧୪ ମସିହାରେ ଡାକ୍ତର ଅଜିତକୁମାର ନେଗୀ ଧର୍ମଗଡ଼ ସି ଏସ ସି ର ଭାରପ୍ରାପ୍ତ ମେଡିକାଲ ଅଫିସର ଥିବାବେଳେ ଜଣେ ପ୍ରସୂତି ମହିଳାଙ୍କ ଠାରୁ ପ୍ରସବ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ l ଏନେଇ କୋରାପୁଟ ଭିଜିଲାନ୍ସ ଥାନା କେଶ ନମ୍ବର ୧୩ ତା ୨.୪.୨୦୧୪ ରେ ଏକ ମାମଲା ୠଜୁକରି ଅଭିଯୁକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ l ଏହି ମାମଲାରେ ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି l ଦୋଷୀ ସାବ୍ୟସ୍ତ ଡାକ୍ତର ଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି l ଏହି ଡାକ୍ତରଙ୍କ ପେନସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି l


