ଶଶୁର ଘର ଆକ୍ରମଣରେ ଜ୍ବାଇଁ ମୃତ୍ୟୁ
ଯାଜପୁର(ଯୁଗାବ୍ଦ ନ୍ୟୁଜ) ପତ୍ନୀକୁ ନେବା ପାଇଁ ଶଶୁର ଘରକୁ ଆସିଥିବା ବେଳେ ଶଶୁର ଘର ଲୋକଙ୍କ ଆକ୍ରମଣରେ ଜ୍ବାଇଁର ମୃତ୍ୟୁ ଅଭିଯୋଗ । ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଥାନା ଅନ୍ୟାସପୁର ଗ୍ରାମରେ । ସୂଚନା ଅନୁଯାୟୀ ଗତ ଏକ ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୂର ଗ୍ରାମର ସଂଥ ସେଠୀ ଅନ୍ୟସପୁର ଗ୍ରାମର ଜଣେ ଯୁବତୀଙ୍କୁ ଭଲପାଇ ସାଙ୍ଗରେ ଧରି ଫେରାର ହୋଇଯାଇଥିଲା । ଗତ ଆଠମାସ ତଳେ ସେ ଉକ୍ତ ଯୁବତୀଙ୍କୁ ତାର ବାପ ଘରେ ଆଣି ଛାଡ଼ିଦେଇଥିଲା । ତେବେ ଗତକାଲି ରାତିରେ ସେ ତାର ପତ୍ନୀକୁ ନେବା ଲାଗି ଶ୍ବଶୁର ଘରକୁ ଆସିଥିଲା । ଝିଅକୁ ଛାଡିବେ ନାହିଁ ବୋଲି ପରିବାର ଲୋକେ କହିବାରୁ ସେମାନଙ୍କ ଭିତରେ ବଚସା ହୋଇଥିଲା । ପରେ ସଂଥକୁ ଠେଙ୍ଗା ଓ ରଡ଼ରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ସକାଳେ ଏହା ଜଣାପଡିବା ପରେ ସଂଥର ବାପା ଆସି ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିବା ସହ ଶାଶୁ, ଶ୍ବଶୁର,ଶଳା ଓ ଗ୍ରାମର ଅନ୍ୟ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରିଛି ।


