ଶାଳଣିଆଁ ପଞ୍ଚାୟତରେ ଜିଆରଏସ ନଥିବାରୁ ଉନ୍ନୟନ କାର୍ଯ୍ୟରେ ବାଧା
ହାଟଡିହି, (ବିକାଶ ବିଶ୍ୱାଳ) :-ଶାଳଣିଆଁ ପଞ୍ଚାୟତରେ ଦୀର୍ଘଦିନ ହେଲା ଜିଆରଏସ ପଦବୀ ଫାଙ୍କା ପଡିଥିବାରୁ ପଞ୍ଚାୟତରେ ହେବାକୁଥିବା ଉନ୍ନୟନ କାର୍ଯ୍ୟରେ ବାଧା ଉପୁଜିଛି । ଏନେଇ ପଞ୍ଚାୟତବାସୀ ବାରମ୍ବାର ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପଞ୍ଚାୟତ ବାସୀଙ୍କ ଅଭିଯୋଗ ଅନୁଯାଇ ପୁର୍ବରୁ ଥିବା ଜିଆରଏସ ଜଣକ ପଞ୍ଚାୟତ ନିର୍ବାଚନ ପରଠାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉ ନଥିଲେ । ସେ ନିଜ ଘରେବସି ମନଇଛା କାମ କରିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ବିଡିଓ ବିନିତା ବିଜୟିନୀ ସଂପୃକ୍ତ ପଞ୍ଚାୟତର ଜିଆରଏସଙ୍କୁ ବ୍ଲକ କାର୍ଯ୍ୟାଳୟକୁ ନେଇ ଆସିବା ସହିତ ଶାଳଣିଆଁ ପଞ୍ଚାୟତର ଦାୟିତ୍ୱ ବୁଝିବାକୁ କଳିଗାଁ ପଞ୍ଚାୟତର ଜିଆରଏସଙ୍କୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର କଳିଗାଁ ପଞ୍ଚାୟତର ଜିଆରଏସ ଶାଳଣିଆଁ ପଞ୍ଚାୟତର ଦାୟିତ୍ୱ ବୁଝିବାକୁ ଅସମର୍ଥ ନେଇ ଲିଖିତ ଭାବେ ବିଡିଓଙ୍କୁ ଜଣାଇବାପରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଜିଆରଏସଙ୍କୁ ସେଠାରେ ନିଯୁକ୍ତି ଦିଆଯାଉ ନଥିବାରୁ ପଞ୍ଚାୟତରେ ହେଉଥିବା ମନରେଗା କାର୍ଯ୍ୟ ଠିକ ଭାବେ ହୋଇପାରୁନି । ଯେଉଁ କିଛିବି ହୋଇଥିଲା ତାହାର ଶ୍ରମିକ ମଜୁରୀ ବାବଦ ଅର୍ଥ ମଧ୍ୟ ମିଳିପାରୁନି । ଯାହାକୁ ନେଇ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ହାଟଡିହି ବ୍ଲକର ବିଡିଓ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଜିଆରଏସ ନିଯୁକ୍ତି କରିବାକୁ ଦାବି ହୋଇଛି ।


