ଶାଶୂଙ୍କ ପ୍ରତି ଶ୍ରଦ୍ଧା: ପୁଅଙ୍କୁ ଅଟକାଇ ଶାଶୂଙ୍କୁ କାନ୍ଧ ଦେଲେ ୪ ବୋହୂ
ମୁମ୍ବାଇ : ମହାରାଷ୍ଟ୍ରର ବିଡ୍ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁଅଙ୍କ ପରି ଝିଅମାନେ ମଧ୍ୟ ନିଜ ବାପା ମା’ଙ୍କ ମୃତୁ୍ୟ ପରେ ଶେଷ ସଂସ୍କାର କରୁଛନ୍ତି ଏବଂ ମୁଖାଗ୍ନି ଦେଉଛନ୍ତି । କିନ୍ତୁ ମହାରାଷ୍ଟ୍ରର ବିଡ୍ରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗୋଟିଏ ପରିବାରର ୪ ବୋହୂ ସେମାନଙ୍କ ଶାଶୁଙ୍କ ଶେଷ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଶାଶୂଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ନେବା ସହ ସେମାନେ ଶାଶୂଙ୍କ ଶେଷ ସଂସ୍କାର କରିଛନ୍ତି । ଏହି ବୋହୂମାନେ ହେଲେ ଉଷା ରାଧାକିଷନ୍ ନାଇକ୍ୱାଡେ, ମନୀଶା ଜଲିନ୍ଦର ନାଇକ୍ୱାଡେ, ଲତା ନବନାଥ ନାଇକ୍ୱାଡେ ଏବଂ ମୀନା ମହିନ୍ଦ୍ରା ନାଇକ୍ୱାଡେ । ସେମାନଙ୍କ ୮୩ ବର୍ଷୀୟା ଶାଶୂଙ୍କ ପରଲୋକ ଘଟିବା ପରେ ବୋହୂମାନେ ଶାଶୂଙ୍କୁ କାନ୍ଧରେ ନେବାକୁ ମନସ୍ଥ କରିଥିଲେ । ୪ ପୁଅ ଯେତେବେଳ ମା’ଙ୍କୁ କାନ୍ଧ ଦେବାକୁ ଯାଇଥିଲେ ସେତେବେଳେ ବୋହୂ ସେମାନଙ୍କୁ ଅଟକାଇବା ସହ ନିଜେ ଶାଶୁଙ୍କୁ କାନ୍ଧ ଦେଇଥିଲେ । ଏଭଳି ଘଟଣା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଧ୍ୟ କେହି ଏହାର ବିରୋଧ କରିନଥିଲେ । ବୋହୂମାନଙ୍କର ଶାଶୂଙ୍କ ପ୍ରତି ଥିବା ଶ୍ରଦ୍ଧା ଏବଂ ଭଲପାଇବାକୁ ସେମାନେ ପ୍ରଶଂସା କରିଥିଲେ ।


