ଶିକ୍ଷକ ଶିକ୍ଷୟତ୍ରୀ ବିଳମ୍ବରେ ଆସିବାକୁ ନେଇ ଉତ୍ତେଜନା : ଗେଟରେ ତାଲା ପକାଇଲେ କମିଟି ସଦସ୍ୟ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକରେ ଏବେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ପଡିଛି । ଶିକ୍ଷକ ଶିକ୍ଷତ୍ରୀମାନେ ମନଇଛା ସ୍କୁଲକୁ ଆସୁଥିବାବେଳେ ଉପଯୁକ୍ତ ତଦାରଖ ଅଭାବରୁ ଅନେକ ବିଦ୍ୟାଳୟର ଶିକ୍ଷକ ମାନେ ସ୍କୁଲ ନଯାଇ ବିଭିନ୍ନ ଛକ ବଜାର ଓ ଅଫିସର ସମୟ କଟାଉଥିବା ନେଇ ଅଭିଯୋଗ ହୋଇଛି । ଆଜି ହାଟଡିହି ସରକାରୀ ନୋଡାଲରେ ଏପରି ଏକ ଘଟଣା ଘଟିବାକୁ ମିଳିଛି । ବିଳମ୍ବରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲକୁ ଯିବାରୁ କିଛି ସ୍କୁଲ କମିଟି ସଦସ୍ୟ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ପରେ ଅଧିକାରୀମାନେ ପହଞ୍ଚି ଏହି ବିବାଦର ସମାଧାନ କରିଥିବା ଦେଖିବାକୁ ମିଳିଛି । ଖବରରୁ ଜଣାଯାଇଛି ଯେ ହାଟଡିହି ନୋଡାଲରେ ୧୮୨ଜଣ ଛାତ୍ରଛାତ୍ରୀ ପଢ଼ୁଥିବାବେଳେ ୭ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନ ପାଇଁ ନିଯୁକ୍ତ ଅଛନ୍ତି । ଗତ କିଛିଦିନ ହେଲା କିଛି ଶିକ୍ଷକ ଶିକ୍ଷୟତ୍ରୀ ଘଣ୍ଟେ ଦେଢ଼ ଘଣ୍ଟା ବିଳମ୍ବରେ ଆସୁଥିବାରୁ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ସେମାନେ ଆଜି ସ୍କୁଲ ନିକଟରେ ଜଗି ରହିଥିଲେ । ଆଜିଠାରୁ ସ୍କୁଲ ୬ଟାରୁ ୯ଟା ପର୍ଯ୍ୟନ୍ତ ହେବାକୁ ଥିବାବେଳେ ୬ଟା ପରେ ସେମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ । ୬ଟା ତିରିଶରେ କିଛି ଶିକ୍ଷକ ଶିକ୍ଷୟତ୍ରୀ ଆସିବାରୁ ସଦସ୍ୟମାନେ ଭିତରକୁ ଯାଇ ପାରିନଥିଲେ । ଖବର ପାଇ ବିଇଓ ଅଭୟ କୁମାର ବେହେରା, ଏବିଇଓ ଧନେଶ୍ୱର ଖଣ୍ଡେଇ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଆଲୋଚନା କରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିୟମିତ ଠିକ ସମୟରେ ସ୍କୁଲକୁ ଆସିବାକୁ ବାଧ୍ୟ ବୋଲି ଶୁଣାଇ ଦେଇଥିଲେ । ସକାଳ ୬ଟାରେ ଦୁର ଦୁରାନ୍ତରୁ ଆସି ପହଞ୍ଚିବା ସମ୍ଭବପର ହେଉ ନାହିଁ ବୋଲି କିଛି ଶିକ୍ଷୟତ୍ରୀ ଅଭିଯୋଗ କରିଥିଲେ ବି ଅଧିକାରୀ ମାନେ ତୁମେ କିପରି ଆସିବ ଓ କିପରି କ୍ଲାସ କରିବ ତାହା ତୁମ ଉପରେ ନିର୍ଭର କରେ, ଯେହେତୁ ତୁମେ ମାନେ ଘରଭଡା ପାଉଛ ତେଣୁ ପାଖରେ କେଉଁଠି ଘର ଭଡାନେଇ ରୁହ ଓ ନିର୍ଦ୍ଦିଷ୍ଟ ସମୟରେ ସ୍କୁଲରେ ପହଞ୍ଚ, ସେ କଥା ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବୁଝିବେ ନାହିଁଁ ବୋଲି କହିବାପରେ ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟ ମାନେ ଫେରିଥିଲେ ।


