ଶିକ୍ଷାର୍ଥୀଙ୍କ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ସଚେତନତା ରାଲି

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଉଭୟ ସହର ଓ ଗ୍ରାମୀଣ ପରିବେଶକୁ ପରିଷ୍କାର,ପରିଚ୍ଛନ୍ନ ବଜାୟ ରଖିବା ସହ ଏକ ସୁସ୍ଥ ତଥା ଆବର୍ଜନା ମୁକ୍ତ ଭାରତ ଗଠନ ସକାଶେ ମୁଖ୍ୟ ଲକ୍ଷ୍ୟ ରହିଛି। ଗ୍ରାମାଞ୍ଚଳରେ ରାସ୍ତାଘାଟ, ଜଳାଶୟ,ସର୍ଵ ସାଧାରଣ ସ୍ଥାନ ଏବଂ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ସହ ଏକ ଉତ୍ତମ, ପ୍ରଦୂଷଣ ମୁକ୍ତ ଓ ସ୍ବାସ୍ଥ୍ୟପ୍ରଦ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଚେତନତା ଅଭିଯାନ ଜାରୀ ରହିଛି। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଜନାକୁ ସଫଳ ରୂପାୟନ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରାଯାଇଛି। ଏହି କ୍ରମରେ ଶନିବାର ହିଞ୍ଜିଳିକାଟୁ ବ୍ଲକ୍ ଆଲପୁର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ହିଁ ସେବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରଶ୍ମିତା ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ରୀନା ପୋଲାଇ, ପ୍ରଧାନ ଶିକ୍ଷକ କୈଳାସପତି ଦାଶ, ଓ୍ବାର୍ଡ ସଭ୍ୟ ବାବୁ ପୋଲେଇ, ଟୁକୁନା ପ୍ରଧାନ, ସୁବ୍ରକେଶ ଦଳାଇ, ଦିଲିପ ପୋଲାଇ, ଅରୁଣ ବରଡ ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ଗ୍ରାମରେ ଏକ ସଚେତନତା ରାଲି ମାଧ୍ୟମରେ ସମ୍ପୃକ୍ତ ପଞ୍ଚାୟତରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥା ସର୍ଵ ସାଧାରଣ ବ୍ୟବହୃତ ରାସ୍ତା,ପୋଖରୀ, କୋଠା ,ନାଳ ନର୍ଦ୍ଦମା ଓ ଗୋଷ୍ଠୀ ଶୌଚାଳୟ ଆଦି ସ୍ଥାନ ଗୁଡିକ ପରିଷ୍କାର ପରିଚ୍ଛନ୍ନ ରଖିବା ସକାଶେ ସଚେତନତା କରା ଯାଇଥିଲା। ପୂଜା ପାର୍ବଣ ସମୟରେ ଅଳିଆ ଆବର୍ଜନା ଗୁଡିକ ଏଣେତେଣେ ନ ଫୋପାଡ଼ି ସ୍ୱତନ୍ତ୍ର ଆବର୍ଜନା କୁଣ୍ଡରେ ପକାଇବା ପାଇଁ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ସମ୍ବନ୍ଧୀୟ ବକୃତା ଓ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରତିଯୋଗିତାରେ ଶିବାନୀ ନାହାକ ୧ମ, ସଞ୍ଜନା ପ୍ରଧାନ ୨ୟ ଓ ଆଶୁତୋଷ ସ୍ବାଇଁ ୩ୟ ସ୍ଥାନ ଅଧିକାର କରିଥିଲେ। ଅତିଥି ମାନଙ୍କ ଦ୍ଵାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ