ଶିଖରଘାଟ ସେତୁ ନିକଟରେ ପ୍ରଶାସନର ଅନ୍ତଃ ଜିଲ୍ଲା ଯାତାୟତ କରୁଥିବା ବ୍ୟକ୍ତିଙ୍କୁ ଯାଂଚ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା ମଧ୍ୟକୁ ପ୍ରବେଶ ଓ ଜିଲ୍ଲା ବାହାରକୁ ଯିବା ପାଇଁ କଡାକଡି ଭାବେ ପ୍ରତିବନ୍ଧକ ଲଗାଇଛନ୍ତି । ବିଶେଷକରୀ କଟକ, ପୁରୀ, ଭୁବନେଶ୍ୱର ଆଦିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତିତ ଭାବେ ବୃଦ୍ଧି ପାଉଥିବା ସହିତ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଏହି ଅଂଚଳ ଗୁଡିକ ଜଗତସିଂହପୁର ଜିଲ୍ଲାର ପଡୋଶୀ ଅଟନ୍ତି । ତେଣୁ ପ୍ରତିଦିନ ଜିଲ୍ଲାରୁ ବିଭିନ୍ନ କାମରେ ଜନସାଧାରଣ ଏହି ସବୁ ଜିଲ୍ଲାକୁ ଯାଉଥିବା ବେଳେ ଏହି ସବୁ ଜିଲ୍ଲାରୁ ଜଗତସିଂହପୁରକୁ ମଧ୍ୟ ଯିବା ଆସିବା କରୁଛନ୍ତି । ତେଣୁ ଯେଉଁମାନେ କଟକ, ପୁରୀ ଓ ଭୁବନେଶ୍ୱର ଆଦି ଯିବା ପାଇଁ ଚାହିଁବେ ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ପାଇଁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ନାଉଗାଁ ବ୍ଳକର ଶିଖରଘାଟ ସେତୁ ପୁରୀ ଓ କଟକ ଜିଲ୍ଲାକୁ ସଂଯୋଗ କରୁଅଛି । ଏହି ବାଟ ଦେଇ ବିଭିନ୍ନ ବ୍ଳକର ଜନସାଧାରଣ ପୁରୀ, କଟକ ଓ ଭୁବନେଶ୍ୱର ଆଦି ସ୍ଥାନକୁ ଯାଉଥିବା ବେଳେ ଉକ୍ତ ସ୍ଥାନରୁ ବିଭିନ୍ନ ବ୍ୟବସାୟୀ ଓ ଅନ୍ୟାନ୍ୟ କାର୍ଯ୍ୟ ଥିବା ବ୍ୟକ୍ତି ଏହି ବ୍ଳକକୁ ପ୍ରବେଶ କରୁଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଖରଘାଟ ସେତୁ ନିକଟରେ ଏହି ବ୍ଳକ ତଥା ଜିଲ୍ଲାକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଯାଂଚ କରାଯାଉଛି । ତହସିଲଦାର ଜେ.କଳ୍ପନା, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା,ଥାନାଧିକାରୀ ଗୋବର୍ଦ୍ଦନ ସାହୁ ଆଦି ଉକ୍ତ ଯାଂଚ କାର୍ଯ୍ୟ କରୁଥିବା ଜଣାଯାଇଛି । ଏହି ଯାଂଚ ସମୟରେ ବ୍ୟକ୍ତି ବିଶେଷ କେଉଁ କାର୍ଯ୍ୟରେ ଯାଉଛନ୍ତି,କେତେ ଜଣ ଯାଉଛନ୍ତି ,କେତେ ସମୟ ରହିବେ ଆଦି ଯାଂଚ କରାଯାଇ ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପଠାଯାଉଥିବା ତହସିଲଦାର ଜେ.କଳ୍ପନା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ