ଶୋ ରୁମରେ ବୁଲାଇଲେ କଳା କନା;୪ଲକ୍ଷ ୫୦ ହଜାର ଚୋରୀ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):-ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ପାର୍ବଣ ଋତୁର ମାହୋଲ ଚାଲିଥିବା ବେଳେ ଚୋର ଅସାମାଜିକ ପାଇଁ ମଧ୍ୟ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି।ଅଞ୍ଚଳରେ ସ୍ଥାନେ ସ୍ଥାନେ ଜୁଆ ଆଡ୍ଡାର ଆସର ଜମୁଥିବା ବେଳେ ଚୋର ଓ ଅସାମାଜିକ ଗୋଷ୍ଠୀ ସୁଯୋଗ ଉଣ୍ଡି ଚୋରୀ କରିବାରେ ସଫଳ ହେବା ଜଣାପଡିଛି।ସ୍ଥାନୀୟ ସହରର ବଇଞ୍ଚ ବଣିଆରେ ଥିବା ଭୁବନେଶ୍ଵରୀ ଟିଭିଏସ ଶୋ ରୁମରେ ମଙ୍ଗଳବାର ମଧ୍ୟରାତ୍ରରେ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ନଗଦ ୪.୫୦ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଲା ସିସିଟିଭି ସଂଯୋଗ ଥିବା ଏବଂ ରାତ୍ର ଡ୍ୟୁଟିରେ ୨ ଜଣ କର୍ମଚାରୀ ନିୟୋଜିତ ଥିବା ବେଳେ ଏଭଳି ଘଟଣା ଘଟିଛି।ମାଲିକ ହରି ପଣ୍ଡାଙ୍କ ସୂଚନା ପ୍ରକାରେ ଗତ କାଲି ରାତ୍ରିରେ ସେ ଅନୁପସ୍ଥିତ ଥିବାରୁ ଦୋକାନ ଷ୍ଟାଫ ଶୋ ରୁମ ବନ୍ଦ କରିଥିଲେ।ଆଜି ସକାଳେ ସେ ଆସି ଦେଖିଲା ବେଳକୁ ଶୋ ରୁମର ୩ ଟି କ୍ୟାଶ ପେଢିରୁ ୪ ଲକ୍ଷ ୫୦ ହଜାର ଟଙ୍କା ଗାଏବ ହୋଇଯାଇଛି।ଦୁର୍ବୃତ୍ତ ମାନେ ପାଚେରୀ ଡେଇଁ ସ୍ପେର୍ ପାର୍ଟସ କାଉଣ୍ଟର ତାଲା ଭାଙ୍ଗି ପ୍ରବେଶ କରିଥିଲେଏବଂ ୩ ଟି କ୍ୟାଶ ପେଢିରୁ ୪.୫୦ ଲକ୍ଷ ଟଙ୍କା ଲୁଟ କରିଥିବା ସୂଚନା ଦେଇଛନ୍ତି।ଯାହାକି ସିସିଟିଭି ଫୁଟେଜ ରେ କଏଦ ହୋଇଥିବା ସେ କହିଛନ୍ତି।ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


