ସଂଖ୍ୟାଲଘୁଙ୍କ ଉପରେ ଧର୍ମଭିତ୍ତିକ ଭେଦଭାବ ଦୂର କର
ଭୁବନେଶ୍ୱର- ଆଜି ବିଶ୍ୱ ସଂଖ୍ୟାଲଘୁ ଅଧିକାର ଦିବସ ପାଳନ ଅବସରରେ ମୂଳନିବାସୀ ସମତା ପରିଷଦ ପକ୍ଷରୁ ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ନୀତୀଗତ ଭେଦଭାବକୁ ବିରୋଧ କରୁଛି । ସମ୍ବିଧାନ ସମସ୍ତ ନାଗରିକମାନଙ୍କୁ ସମାନ ଅଧିକାର ପ୍ରଦାନ କରିଥିବା ବେଳେ ସଂଖ୍ୟାଲଘୁମାନଙ୍କ ପ୍ରତି ଏ ପ୍ରକାର ଭେଦଭାବ କାହା ସ୍ୱାର୍ଥରେ । ଓଡ଼ିଶାରେ ସଂଖ୍ୟାଲଘୁ କମିଶନ ଗଠନ ନହେବା, ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ୧୫ ସୂତ୍ରୀ କାର୍ଯ୍ୟକ୍ରମକୁ ସଠିକ୍ ଭାବେ କାର୍ଯ୍ୟକାରୀ ନ କରିବା ଓ ଦଳିତ ଖ୍ରୀଷ୍ଟ୍ରିୟାନ ଓ ଦଳିତ ମୁସ୍ଲିମ୍ବର୍ଗଙ୍କୁ ଅନୁସୂଚିତ ଜାତିର ମାନ୍ୟତା ନ ମିଳିବା ଏହାର ଉଦାହରଣ । ଧର୍ମଭିତ୍ତିରେ ଦଳିତ ଖ୍ରୀଷ୍ଟିୟାନ ଓ ଦଳିତ ମୁସ୍ଲିମ୍ମାନଙ୍କ ପ୍ରତି ଭେଦଭାବ କରାଯାଇଛି । ସିଡ଼୍ୟୁଲକାଷ୍ଟ ଅର୍ଡ଼ର୍ର୍ର ଅନୁଯାୟୀ ଦଳିତବର୍ଗ, ହିନ୍ଦୁ,ଶିଖ୍ ଓ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ସେମାନଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମିଳୁଥିବା ବେଳେ ଇସଲାମ ଓ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀ ଦଳିତବର୍ଗଙ୍କୁ ଅନୁସୂଚିତ ଜାତିର ମାନ୍ୟତା ମିଳୁନାହିଁ । ଆମ ସମ୍ବିଧାନ ପ୍ରତି ଏହା ଏକ ଶକ୍ତ ଚାପୁଡ଼ା । ସେହିପରି ନିକଟରେ ପ୍ରଣିତ ହୋଇଥିବା ନାଗରିକତ୍ୱ ସଂଶୋଧନ ଆଇନ୍କୁ ମଧ୍ୟ ମୂଳନିବାସୀ ସମତା ପରିଷଦ ଦୃଢ ବିରୋଧ କରୁଛି । କାରଣ ଏହା ଧର୍ମଭିତ୍ତିରେ କିଛି ବର୍ଗଙ୍କୁ ଭେଦଭାବ କରୁଛି । ତେଣୁ ମୂଳନିବାସୀ ସମତା ପରିଷଦ ତରଫରୁ ଦାବି କରାଯାଇଛି ଯେ, ଓଡ଼ିଶାରେ ସଂଖ୍ୟାଲଘୁ କମିଶନ ତୁରନ୍ତ ଗଠନ କରାଯାଉ, ଖ୍ରୀଷ୍ଟିୟାନ ଓ ଇସ୍ଲାମ ଧର୍ମ ଗ୍ରହଣ କରିଥିବା ଦଳିତବର୍ଗଙ୍କୁ ଅନୁସୂଚିତ ଜାତିର ମାନ୍ୟତା ପ୍ରଦାନ କରାଯାଉ, ସଂଖ୍ୟାଲଘୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପ୍ରଧାନମନ୍ତ୍ରୀଙ୍କ ୧୫ସୂତ୍ରୀ କାର୍ଯ୍ୟକ୍ରମକୁ ଦୃଢତାର ସହ କାର୍ଯ୍ୟକାରୀ କରାଯାଉ, ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପ୍ରତି ଜିଲ୍ଲାରେ ମନିଟରିଂ ସେଲ୍ ଖୋଲାଯାଉ, ସଂଖ୍ୟାଲଘୁ ହଷ୍ଟେଲର ସୁପରିଚାଳନା ନିମନ୍ତେ ବଜେଟ୍ରେ ବ୍ୟୟବରାଦ ଅଣାଯାଉ ଏବଂ ସଂଖ୍ୟାଲଘୁ ବିକାଶ, ଆର୍ଥିକ କର୍ପୋରେସନକୁ କ୍ରିୟାଶୀଳ କରାଯାଉ ଓ ନାଗରିକ ସଂଶୋଧନ ଆଇନ୍କୁ ଉଚ୍ଛେଦ କରାଯାଉ । ଆଜିର ଏହି କାର୍ଯ୍ୟକ୍ରମକୁ ଅଭିରାମ ମଲ୍ଲିକ, ସୟିଦ ବର୍କତଅଲ୍ଲୀ ତନୱିର, ଯୁଗଳ କିଶୋର ରଣଜିତ୍, ଅବଦୁଲ କଲାମ ଆଜାଦ ପ୍ରମୁଖ ପରିଚାଳନା କରିଥିଲେ । ଅତିଥି ଭାବେ ବହୁଜନ ବୁଦ୍ଧିଜୀବୀ ଫୋରମର ସଭ୍ୟସଭ୍ୟା ଶ୍ରୀଯୁକ୍ତ ବନ୍ଧୁ ସେଠୀ, ସଂଗ୍ରାମ ମଲ୍ଲିକ, ମମତା ବେହେରା, ରବି ସେଠୀ, ବାବାଜୀ ଜେନା, ରାମ ନାୟକ, ଗଜେନ୍ଦ୍ର ମଲ୍ଲିକ, ବିଜୟ ତୁରୁକୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପରିଷଦର ଏକ ୬ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସ୍ମରକ ପତ୍ର ପ୍ରଦାନ କରିଥିଲେ ।


