ସଂଗୀତ ମୂର୍ଛନା ଏବଂ ଓସା ମ୍ୟୁଜିକ ଚ୍ୟାନେଲର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ସଂଗୀତ ମୂର୍ଛନା ଏବଂ ଓସା ମ୍ୟୁଜିକ ଚ୍ୟାନେଲର ମିଳିତ ସହଯୋଗରେ ଜିଲ୍ଲା ଜବାହର ବାଲ ଭବନ ପରିସରରେ ଏକ ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳୀ ସେଠୀ ପ୍ରଦିପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସଂଗୀତ ମୂର୍ଛନା ଓ ଓସାର ନିର୍ଦେଶକ ବସନ୍ତ କୁମାର ଦାସ ଉତ୍ସବର ଲକ୍ଷ୍ୟ, ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କରୋନାର ପ୍ରକୋପ ସତ୍ୱେ ଦୀର୍ଘ ୨ବର୍ଷ ହେବ ଏହି ଅନୁଷ୍ଠାନ ରାଜ୍ୟର ବିଭିନ୍ନ ଜିଲ୍ଲାର ଯୁବ ପ୍ରତିଭାମାନଙ୍କର ଅନ୍ତର୍ନିହିତ କଳାର ବିକାଶ କରିବା ସହିତ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଅନ୍ ଲାଇନ ମାଧ୍ୟମରେ ପ୍ରତିଯୋଗୀତା ମାନ ଆୟୋଜନ କରାଯାଇଥିଲା । ଗୀତ, ନୃତ୍ୟ, କବିତା, ଚିତ୍ରକଳା, ବକ୍ତୃତା ପ୍ରଭୃତି ୬ଟି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମୋଟ ୭ଶହରୁ ଉର୍ଦ୍ଧ୍ୱ ବିଭିନ୍ନ ବୟସର କଳାକାରମାନେ ଭାଗ ନେଇଥିଲେ । ପ୍ରତ୍ୟେକ ବିଷୟରୁ ଶ୍ରେଷ୍ଠ ୧୦ଜଣ ଲେଖାଁଏ ମୋଟ ୮୦ଜଣଙ୍କୁ ଟପଟେନ ଆୱାର୍ଡ ଅତିଥିମାନେ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଜ୍ୟୋସ୍ନାମୟୀ ପରିଡା, ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୋନାଲି ବେହେରା, ଗୁଆଳସିଂ ସରପଞ୍ଚ ମଧୁସ୍ମୀତା ଦାସ, ବାଲ ଭବନର ଯୁଗ୍ମ ନିର୍ଦେଶକ ଜୀତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜବାହର ଭବନର ନିର୍ଦେଶିକା ଲଳିତାଞ୍ଜଳି ଦାସ ସଂଗୀତ ମୁର୍ଛନା ଚ୍ୟାନେଲର ଉଦ୍ୟମକୁ ପ୍ରଶଂସା କରିବା ସହିତ ଉତ୍ସବରେ ୯ରୁ ୧୬ବର୍ଷ ପ୍ରତିଯୋଗୀମାନଙ୍କ ଦକ୍ଷତାକୁ ଆଧାରକରି ବାଲ ଭବନ ପକ୍ଷରୁ ଜାତୀୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗୀତାରେ ଭାଗ ନେବାକୁ ସୁଯୋଗ ପାଇବେ ବୋଲି କହିଥିଲେ । ସଂଗୀତ ନିର୍ଦେଶକ ଦିନେଶ ମଲ୍ଲିକ କାର୍ଯ୍ୟକ୍ରମ ସଂଚାଳନ କରିବାଉ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନେ ଏହି ଅନୁଷ୍ଠାନକୁ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଦସ୍ୟ ଅକ୍ଷୟ ସାମଲ, ନିରାକାର ମହାରଣା, ପ୍ରଭାକର ଦାସ, ସଂଯୋଜିକା ଲିପି ମିଶ୍ର ଓ ତପସ୍ୱିନୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


