ସଙ୍ଗରୋଧ କେନ୍ଦ୍ରରେ ପାଳନ ହେଲା ସାବିତ୍ରୀ ବ୍ରତ ମହିଳାଙ୍କୁ ସାବିତ୍ରୀ ଭାର ଦେଲେ ଗାଙ୍ଗପୁର ସରପଞ୍ଚ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):ସଙ୍ଗରୋଧ କେନ୍ଦ୍ର ଥିଲା ମହିଳାଙ୍କ ହୂଳହୂଳି ସହ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି ଓ ସାବିତ୍ରୀ ବ୍ରତ ପାଠରେ ଉତ୍ସବ ମୂଖର I ସମସ୍ତ ମହିଳା ମାସ୍କ ସହ ନୂଆଁ ଶାଢୀ ପିନ୍ଧି ମଥାରେ ସିନ୍ଦୂର ଗାର ଟାଣି ବ୍ରତ କଥା ଶୁଣିବାରେ ମଜ୍ଜିଯାଇଥିଲେ ଥିଲେ I ଆଜି ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗାଙ୍ଗପୁର ପଞ୍ଚାୟତର ଚାରି ସଙ୍ଗରୋଧ କେନ୍ଦ୍ରରେ I ସାରା ବିଶ୍ଵରେ କରୋନାର ଆତଙ୍କ ଯୋଗୁଁ ଅନେକ ପର୍ବପର୍ବାଣୀ ବନ୍ଦ ହୋଇଯାଇଥିବା ବେଳେ ଆଜି ଥିଲା ଓଡ଼ିଆ ସଧବା ମହିଳାମାନଙ୍କର ପତିବ୍ରତାର ବ୍ରତ ସାବିତ୍ରୀ I ଏହି ସମୟରେ ଲକ୍ ଡ଼ାଉନ୍ କିଛି ମାତ୍ରାରେ କୋହଳ ହୋଇଥିବାରୁ ଘରେ ଥିବା ମହିଳାମାନେ ଯେନ ତେନ ପ୍ରକାରେ ସାବିତ୍ରୀ ବ୍ରତ ପାଳନ କରିଥିଲେ I କିନ୍ତୁ ବିଦେଶରୁ ଫେରି ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିବା ମହିଳାମାନଙ୍କ ଦୁଃଖ ବଳି ପଡ଼ିଥିଲା I ବହୁ ସଙ୍ଗରୋଧ କେନ୍ଦ୍ରରେ ମହିଳାମାନେ ନିଜର ମୁଖ୍ୟ ବ୍ରତ ପାଳନ କରି ନ ପାରି ଦୁଃଖରେ ଭାଙ୍ଗି ପଡ଼ିଥିଲାବେଳେ ଗାଙ୍ଗପୁର ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥିବା ମହିଳାମାନଙ୍କ ଦୁଃଖ ବୁଝି ପାରିଛନ୍ତି ପଞ୍ଚାୟତର ଦରଦୀ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ I ଆଜି ଗାଙ୍ଗପୁର ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ମହିଳାମାନେ ସାମାଜିକ ଦୂରତ୍ଵ ଅବଲମ୍ବନ କରିବା ସହ ଖୁସିରେ ଆତ୍ମହରା ହୋଇ ଭକ୍ତିର ସହ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ପାଳିଥିଲେ ସାବିତ୍ରୀ ବ୍ରତ I ଆଉ ଏହି ବ୍ରତ ପାଳିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିଲେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ I ସଙ୍ଗରୋଧ କେନ୍ଦ୍ର ଆରମ୍ଭ ହେବା ଠାରୁ ଅନ୍ତେବାସୀଙ୍କୁ ଉନ୍ନତ ମାନର ଖାଦ୍ୟ, ଶିଶୁମାନଙ୍କୁ ପୁଷ୍ଟିକର ଶିଶୁ ଖାଦ୍ୟ ଯୋଗାଇବା ସହ ସଙ୍ଗରୋଧ କେନ୍ଦ୍ର ଗୁଡ଼ିକର ଉତ୍ତମ ପରିଚାଳନା ପାଇଁ ସୁନାମ ଅର୍ଜନ କରିଥିବା ସରପଞ୍ଚ ମହୋଦୟ ଏବେ ମହିଳାମାନଙ୍କ ପାଇଁ ବାପା ସାଜି ଯୋଗାଇ ଦେଇଛନ୍ତି ସାବିତ୍ରୀ ଭାର I ଝିଅ ପାଇଁ ବାପା ଘରୁ ସାବିତ୍ରୀ ଭାର ଆସିଲା ଭଳି ସରପଞ୍ଚ ଶ୍ରୀ ଡାକୁଆ ମଧ୍ୟ ପଞ୍ଚାୟତର ଗାଙ୍ଗପୁର, ବୋରୀ ଏବଂ ବିଞ୍ଝଗିରି ବିଦ୍ୟାଳୟରେ ସଙ୍ଗରୋଧରେ ଥିବା ୩୨ଜଣ ମହିଳାଙ୍କୁ ଗୁରୁବାର ଦିନ ସାବିତ୍ରୀ ଭାର ପ୍ରଦାନ କରିଥିଲେ I ସେଥିମଧ୍ୟରୁ ବିଞ୍ଝଗିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା ୧୬,ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ୧୧, ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ଥିବା ୩ ,ଏବଂ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଥିବା୨ ଜଣ ମହିଳାଙ୍କୁ ସାବିତ୍ରୀ ଭାର ଯୋଗାଇ ଦେଇଥିଲେ I ସାବିତ୍ରୀ ଭାରରେ ମହିଳାଙ୍କ ପାଇଁ ନୂଆଁ ଶାଢୀ, ଚୁଡ଼ି, ସିନ୍ଦୂର, ଚିନି, ଡାଲି ପ୍ରଭୃତି ପୂଜା ଉପକରଣ ସହ ନଡ଼ିଆ, କଦଳୀ, ସପୂରୀ ଆମ୍ବ, ପଣସ, ଖଜୁରୀ, ତାଳ ଆଦି ଫଳ ମଧ୍ୟ ଯୋଗାଇ ଦେଇଥିଲେ I ଏହା ସହ ପୂଜା କରି ସାବିତ୍ରୀ ବ୍ରତ କଥା ଶୁଣାଇବା ପାଇଁ ବ୍ରତ ଦିନ ପୁରୋହିତର ବ୍ୟବସ୍ଥା କରିଥିଲେ I ପୁରୋହିତ ଟୁକୁନା ଦାସ ପୂଜା କରିବା ସହ ମହିଳା ମାନଙ୍କୁ ବ୍ରତ କଥା ଶୁଣାଇଥିଲେ I ସରପଞ୍ଚଙ୍କ ଠାରୁ ସାବିତ୍ରୀ ଭାର ପାଇ ବ୍ରତ କରି ସମସ୍ତ ମହିଳା ଅନ୍ତେବାସୀ ଦୁଃଖକୁ ଭୁଲିଯାଇ ଖୁସି ପ୍ରକଟ କରିଛନ୍ତି I ଏହିଭଳି ଦୂର୍ଦ୍ଦିନରେ ସରପଞ୍ଚ ମହୋଦୟଙ୍କୁ ସେମାନଙ୍କ ବାପା ଭାଇ ବୋଲି ଅନ୍ତେବାସୀ ମହିଳାମାନେ ସମ୍ବୋଧନ କରିଛନ୍ତି I ସରପଞ୍ଚଙ୍କର ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ