ସଚେତନତା ହିଁ ସୁରକ୍ଷା : ହୃଦୟ ଚାହେଁ ହର୍ବାଲ ହୋଲି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ହୃଦୟ ଚାହେଁ ହର୍ବାଲ ହୋଲି । ରଙ୍ଗ ଓ ଭାଇଚାରାର ପର୍ବ ହୋଲିରେ ଏଭଳି ଏକ ସମୟୋପଯୋଗୀ ଜନସଚେତନତାର ବାର୍ତ୍ତା ଦେଇଛନ୍ତି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ । ପ୍ରତିଟି ଭାରତୀୟଙ୍କ ହୃଦୟରେ ହୋଲି ପର୍ବର ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ । ଏହି ପରିପ୍ରେକ୍ଷୀରେ ସୁଶାନ୍ତ ବିଭିନ୍ନ ରଙ୍ଗ ବେରଙ୍ଗ ମୁରୁଜକୁ ବ୍ୟବହାର କରି ତିଆରିଛନ୍ତି ଏକ ସୁନ୍ଦର ହୃଦୟ । ହୃଦୟ ପାଖରେ ରହିଛି ନାନା କିସମର ପ୍ରାକୃତିକ ରଙ୍ଗ । ତତ୍ସହିତ ଇଂରାଜୀ ଭାଷାରେ ‘ମାଇଁ ହାର୍ଟ ବିଟ୍ସ ଫର୍ ହର୍ବାଲ ହୋଲି’ର ଏକ ମନଛୁଆଁ ସ୍ଲୋଗାନ୍ଟିଏ ସ୍ଥାନିତ କରିଛନ୍ତି । ଶ୍ରୀ ସାହୁ ଏହି ମର୍ମରେ କୁହନ୍ତି ଦିନ ଥିଲା ଲୋକେ ପ୍ରାକୃତିକ ରଙ୍ଗକୁ ହୋଲି ଖେଳରେ ବ୍ୟବହାର କରୁଥିଲେ । କାହିଁକି ନା ନିଜେ ସୁସ୍ଥ, ନିରୋଗ ରହିବା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଏହି ପ୍ରାକୃତିକ ରଙ୍ଗ ମାଧ୍ୟମରେ ବୃଦ୍ଧି କରାଉଥିଲେ । କାଳକ୍ରମେ ବଜାରରେ ଶସ୍ତା, ଆକର୍ଷଣୀୟ ରାସାୟନିକ ରଙ୍ଗ ପ୍ରବେଶ କରିଥିଲା । ଯାହା ମଣିଷ ଶରୀର ଓ ପରିବେଶ ପାଇଁ ଘାତକ ସଦୃଶ ହୋଇଛି । ସମ୍ପ୍ରତି ବଜାରରେ ଉପଲବ୍ଧ ହେଉଥିବା ରାସାୟନିକ ରଙ୍ଗଠାରୁ ଦୂରରେ ରହି ହୃଦୟତାର ସହ ପ୍ରାକୃତିକ ରଙ୍ଗରେ ହୋଲି ଖେଳି ଏହାର ମଜା ଉଠାନ୍ତୁ । ନିଜେ ସୁସ୍ଥ ରହିବା ସହ ନିଜର ପରିବାର, ଆତ୍ମୀୟସ୍ୱଜନ ଓ ସାଙ୍ଗ, ସାଥୀମାନଙ୍କୁ ନିରାପଦରେ ରଖନ୍ତୁ ବୋଲି ସୁଶାନ୍ତ ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।


