ସଦସ୍ୟଙ୍କ ମୃତ୍ୟୁରେ ଘର ଛାଡିଦିଅନ୍ତି ପରିବାର ଲୋକେ
ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତିକୁ ସାଉଣ୍ଟିବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି । କିନ୍ତୁ ଆମ ଦେଶରେ ଏଭଳି କିଛି ଜନଜାତି ଅଛନ୍ତି, ଯେଉଁମାନେ ନିଜ ପ୍ରିୟଜନଙ୍କ ମୃତ୍ୟୁ ପରେ ସେମାନଙ୍କ ସ୍ମୃତି ସାଉଣ୍ଟିବା ପରିବର୍ତ୍ତେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ଚାଲିଯାନ୍ତି । ଏଭଳି ଅଦ୍ଭୁତ ପରମ୍ପରା ଛତିଶଗଡ଼ର ବସ୍ତର ଜିଲ୍ଲାରେ ରହୁଥିବା ବେଗା ଜନଜାତିଙ୍କ ମଧ୍ୟରେ ଦେଖିବାକୁ ମିଳେ । ଏହି ସମୁଦାୟ ଅନ୍ୟ କାହା ସହ ବେଶି ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ । ନିଜ ପରିବାର ବ୍ୟତୀତ କାହା ସହ ତାଙ୍କର ପରିଚୟ ନ ଥାଏ । କିନ୍ତୁ ପରିବାରର କୌଣସି ଲୋକଙ୍କ ମୃତ୍ୟୁ ହେଲେ, ସେମାନେ ସମ୍ପୂର୍ଣ୍ଣ ଘରଡିହ ଛାଡ଼ି ଅନ୍ୟସ୍ଥାନରେ ନୂଆ ଘର ତିଆରି କରି ରୁହନ୍ତି । କାରଣ ସେମାନଙ୍କ ବିଶ୍ୱାସ ଥାଏ, କୁଳଦେବୀଙ୍କ ପ୍ରକୋପରୁ ପରିବାର ସଦସ୍ୟଙ୍କ ମୃତ୍ୟୁ ହୁଏ । ମୃତ୍ୟୁ ପରେ ଅନ୍ୟ ସଦସ୍ୟ ଯଦି ସ୍ଥାନ ପରିତ୍ୟାଗ ନ କରନ୍ତି, ତେବେ ସେମାନଙ୍କ ଉପରେ ଦେବୀ କୋପ କରିବେ ।


