ସନ୍ତୋଷ ନାରାୟଣଙ୍କୁ ଆମ ପରମ୍ପରା ସମ୍ମାନ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରର ଅନ୍ୟତମ କଳା, ସାହିତ୍ୟ ତଥା ସାଂସ୍କୃତିକ ଅନୁଷ୍ଠାନ ‘ଆମ ପରମ୍ପରା ଟ୍ରଷ୍ଟ’ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ସହର ଉପକଣ୍ଠ ରାମେଶ୍ୱର ମନ୍ଦିର ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା ଓଡ଼ିଆ ଫିଲ୍ମ ‘ବାବୁ ଭାଇଜାନ’ର ପ୍ରଯୋଜକ ସନ୍ତୋଷ ନାରାୟଣ ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜିତ ଉତ୍ସବରେ ‘ଆମ ପରମ୍ପରା ଟ୍ରଷ୍ଟ’ର ସଭାପତି ଅବସରପ୍ରାପ୍ତ ଶିକ୍ଷକ ବିକର୍ତ୍ତନ ନାୟକ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଶିକ୍ଷକ ମୁରଲୀଧର ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ‘ସମାଜ’ ବାଲେଶ୍ୱର ବ୍ୟୁରୋ ମୁଖ୍ୟ କୁଳମଣି ବାରିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ନାଟ୍ୟକଳା କ୍ଷେତ୍ରରେ ନାଟ୍ୟକାର ଶ୍ରୀ ଦାସଙ୍କ ଦଖଲ ଓ ଲୋକପ୍ରିୟତା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତିଟି ନାଟକରେ ବାସ୍ତବତାର ପ୍ରତିଫଳନ ଦର୍ଶକଙ୍କ ମନକୁ ଛୁଇଁଛି । କେବଳ ନାଟ୍ୟକାର କିମ୍ବା ନାଟ୍ୟ ନିର୍ଦ୍ଦେଶନା ନୁହେଁ ବରଂ ସିନେମା ପ୍ରଯୋଜନା ଓ ବ୍ୟବସାୟ କ୍ଷେତ୍ରରେ ସେ ଜଣେ ସଫଳ ବ୍ୟକ୍ତିତ୍ୱର ପରିଚୟ ଦେଇ ପାରିଛନ୍ତି ବୋଲି ଶ୍ରୀ ବାରିକ କହିଥିଲେ । ଶ୍ରୀ ଦାସ ପୁଣି ନାଟକ ଲେଖନ୍ତୁ ଓ ରାଜ୍ୟବାସୀଙ୍କୁ ପୂର୍ବଭଳି ସନ୍ତୋଷ ପ୍ରଦାନ କରନ୍ତୁ ବୋଲି ସେ ମତ ଦେଇଥିଲେ । ମୁଖ୍ୟବକ୍ତା ଭାବେ କବି ପ୍ରଶାନ୍ତ ଦାସ ଯୋଗଦେଇ ସଫଳ ବ୍ୟକ୍ତିତ୍ୱର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜଣେ ସ୍ୱଚ୍ଛ ମାନସିକତା ବିଶିଷ୍ଟ ମଣିଷଠାରେ ସୁଦ୍ଧ ଚିନ୍ତା ପ୍ରକଟିତ ହେବା ଭଳି ସନ୍ତୋଷ ନାରାୟଣ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ସେ କହିଥିଲେ । ସେ ଆହୁରି ଆଗକୁ ଯା’ନ୍ତୁ ଓ ଏହି ବାଲେଶ୍ୱର ମାଟିକୁ ଗୌରବାନ୍ୱିତ କରନ୍ତୁ ବୋଲି ଶ୍ରୀ ଦାସ କାମନା କରିଥିଲେ । କବି ଅଭୟ ଦାସ, ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ, ସମାଜ ବାଲେଶ୍ୱର ଡେସ୍କ ଇନଚାର୍ଜ ଶଶିରଂଜନ ମଲିକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥିମାନେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ଶ୍ରୀ ଦାସ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସହଯୋଗ ସଦିଚ୍ଛା ଓ ଆଶୀର୍ବାଦ ତାଙ୍କୁ ସଫଳତା ଆଣି ଦେଇଛି ବୋଲି କହିଥିଲେ । ଶିକ୍ଷୟିତ୍ରୀ ସତ୍ୟଭାମା ମୁଦୁଲି ଏହି ସମ୍ବର୍ଦ୍ଧନା ପର୍ବରେ ଅତିଥି ପରିଚୟ ପ୍ରଦାନ ସହ ମାନପାତ୍ର ପାଠ କରିଥିବା ବେଳେ ଜ୍ୟୋତିଷ ବିଶାରଦ ମନ୍ମଥ ମିଶ୍ର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରଣଜିତ ପରିଡ଼ା, କଳ୍ପନା ନାୟକ, ଚନ୍ଦ୍ରକାନ୍ତ ବେହେରା, ବିଜୟଲକ୍ଷ୍ମୀ ମିଶ୍ର, ହରିହର ଜେନା, ଅମରେନ୍ଦ୍ର ଦାସ, ମୁକ୍ତେଶ୍ୱର ସେଠୀ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ