ସବୁଦିନ ସମାନ ଖାଦ୍ୟ ଖାଉଛନ୍ତି କି ? ରୁହନ୍ତୁ ସାବଧାନ !
ଆପଣ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି କି? ଯଦି ହିଁ, ଏ ଅଭ୍ୟାସ ତୁରନ୍ତ ବଦଳାନ୍ତୁ । କାରଣ ଏ ଅଭ୍ୟାସ ଆପଣଙ୍କୁ ଏକାଧିକ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପକାଇପାରେ । ତା’ହେଲେ ଆସନ୍ତୁ ଜାଣିବା ପ୍ରତିଦିନ ସମାନ ଖାଦ୍ୟ ଖାଇବା କାହିଁକି ଉଚିତ୍ ନୁହେଁ ଏବଂ ଏଥିପାଇଁ କେଉଁସବୁ କ୍ଷତି ହୋଇଥାଏ ।
୧. ଆମ ଶରୀର କାର୍ଯ୍ୟକ୍ଷମ ହେବା ପାଇଁ ଅଧିକ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ର ଆବଶ୍ୟକତା ରହିଥାଏ । ଏହି ଆବଶ୍ୟକତା ପୂରଣ କରିବା ପାଇଁ ଅଲଗା ଅଲଗା ପ୍ରକାରର ପନିପରିବା ଖାଇବାକୁ ପଡ଼ିଥାଏ । ଏଥିରୁ ଶରୀରକୁ ପୋଷଣ ମିଳିଥାଏ । କିନ୍ତୁ ସବୁଦିନେ ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ ଶରୀରକୁ ଆବଶ୍ୟକ ଅନୁଯାୟୀ ପୋଷଣ ମିଳି ନଥାଏ ।
୨. ବିଭିନ୍ନ ପ୍ରକାରର ଖାଦ୍ୟ ଖାଇଲେ ଖାଦ୍ୟନଳୀରେ ଭଲ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧି ହୋଇଥାଏ । ଏହା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଗୋଟିଏ ପ୍ରକାର ଖାଦ୍ୟ ଖାଇଲେ ଉକ୍ତ ଭଲ ବ୍ୟାକ୍ଟେରିଆଙ୍କ ବଂଶବୃଦ୍ଧି ହୋଇ ନଥାଏ ଓ ତା’ସହିତ ଖାଦ୍ୟନଳୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।
୩. ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ ଅଧିକ ଓଜନ ଥିବା ବ୍ୟକ୍ତି ଗୋଟିଏ ପ୍ରକାର ଖାଦ୍ୟ ଖାଇବା ଉଚିତ୍ ନୁହେଁ । ଏହା ଦ୍ୱାରା ସେମାନଙ୍କ ଓଜନ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ହୋଇଥାଏ । ତେଣୁ ଓଜନ ହ୍ରାସ କରିବାକୁ ·ହୁଁଥିଲେ ଦୈନନ୍ଦିନ ଖାଦ୍ୟରେ ପରିବର୍ତ୍ତନ କରନ୍ତୁ ।
୪. କିଛି ଲୋକ କିଛି ନିର୍ଦ୍ଦିଷ୍ଟ ଖାଦ୍ୟକୁ ସବୁବେଳେ ଖାଇବାକୁ ଭଲ ପା’ନ୍ତି । ତେବେ ଏହା ଭଲ ନୁହେଁ । କାରଣ ଉକ୍ତ ଖାଦ୍ୟକୁ ମାତ୍ରାଧିକ ଖାଇଲେ, ଶରୀରରେ ତା’ର ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ଥାଏ । ହଳଦୀ ଖାଇବା ଭଲ, କିନ୍ତୁ ଏହାକୁ ଆବଶ୍ୟକତାଠାରୁ ଅଧିକ ଖାଇଲେ ଲିଭର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ସେମିତି ସବୁବେଳେ ଜଙ୍କ୍ ଫୁଡ୍ ଖାଇଲେ ସ୍ୱାସ୍ଥ୍ୟଜନିତ ନାନା ପ୍ରକାରର ସମସ୍ୟା ଦେଖାଯିବାର ଆଶଙ୍କା ରହିଛି ।
୫. ସବୁଦିନେ ସମାନ ଖାଦ୍ୟ ଖାଇଲେ ଆପଣଙ୍କୁ ସିଲେକ୍ଟିଭ୍ ଇଟିଙ୍ଗ୍ ଡିଜ୍ଅର୍ଡର (ଏକ ପ୍ରକାର ରୋଗ) ହେବାର ଆଶଙ୍କା ରହିଥାଏ । ଏହି ରୋଗରେ ପୀଡ଼ିତ ହେଲେ ରୋଗୀ କିଛି ନିର୍ଦ୍ଦଷ୍ଟ ଖାଦ୍ୟର ରଙ୍ଗ, ଗନ୍ଧ ଓ ସ୍ୱାଦକୁ ଘୃଣା କରିଥା’ନ୍ତି ।


