ସମଗ୍ର କନ୍ଧମାଳ ରେ ଲଗାଣ ବର୍ଷା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସମଗ୍ର କନ୍ଧମାଳ ଜିଲା ତଥା ଏହାର ଆଖପାଖ ଅଞ୍ଚଳରେ ଏକ ସପ୍ତାହ ହେଲା ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ନାଳ, ନଦୀରେ ଜଳସ୍ତର ବୃଦ୍ଧି ପାଇ ଦୁର୍ଗମ ରାସ୍ତା ଗୁଡିକରେ ଜଳ ଜମାହେବା ସହ ଅନେକ ସ୍ଥାନରେ କାଦୁଅ ହୋଇ ଉପାନ୍ତ ଅଞ୍ଚଳରେ ଛୋଟ ଛୋଟ ବ୍ରିଜ ଭାଙ୍ଗି ଯିବା ସହ ଯାତାୟାତ ବ୍ୟାହତ ହୋଇଛି l ଫିରିଙ୍ଗିଆ ବ୍ଲକର କ୍ରାଣ୍ଡିବାଲିଠାରେ ବୁଧବାର ସକାଳେ ଏକ ସ୍କୁଲ ଘର ଉପରେ ଏକ ବିରାଟ ପୁରୁଣା ବରଗଛ ଭାଙ୍ଗିପଡ଼ିଛି । ଫଳରେ ସ୍କୁଲ ଘର ସମେତ ପାଖରେ ଥ‌ିବା ଅଙ୍ଗନବାଡ଼ି ଓ ବିଦ୍ୟୁତ୍ ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି ।ତେବେ ଘଟଣା ସକାଳ ୫ଟା ବେଳେ ଘଟିଥିବାରୁ କାହାର କିଛି କ୍ଷତି ହୋଇନାହିଁ । ଟ୍ରାନ୍ସଫର୍ମର ଭାଙ୍ଗି ଯିବାରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହେବା ସାଙ୍ଗକୁ ରାସ୍ତା ଉପରେ ତାର ପଡ଼ି ରହିଥ‌ିବାରୁ ଗୋଚ୍ଛାପଡ଼ା-ବାଲନ୍ଦାପଡ଼ା ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି । ଫିରିଙ୍ଗିଆ ବ୍ଲକରେ ବହୁ ସ୍ଥାନରେ ରାସ୍ତା ଓ କଲଭର୍ଟ ଧୋଇ ହୋଇଯିବା ସହ ବହୁ ସଂଖ୍ୟକ କଚ୍ଚା ଘର ଭାଙ୍ଗି ଯାଇଥ‌ିବା ସୂଚନା ମିଳିଛି । ଏପରି ଲଗାଣ ବର୍ଷା ଲାଗି ରହିବା ଫଳରେ ଦାରିଙ୍ଗବାଡି ବ୍ଲକ ର କଲିଙ୍ଗ ଗ୍ରାମ ଠାରୁ ତାଜୁଙ୍ଗିଆ ଗ୍ରାମକୁ ସଂଯୋଗ କରୁଥ‌ିବା ରାସ୍ତାର ଏକ ପୋଲ ଭାଙ୍ଗି ଯାଇ ରାସ୍ତା ଧସି ଯାଇଥ‌ିବା ଦେଖିବାକୁ ମିଳିଛି । ଯାହାରି ଫଳରେ କଲିଙ୍ଗି, ସୁଲୁମହା, ଶିକବାଡ଼ି ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏଥି ସହିତ ସିର୍ବାବର୍ଗ ଠାରୁ ସଲାଗୁଡ଼ି ରାସ୍ତା ଧୋଇ ହୋଇଯିବା ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି।ଏହି ପରିପ୍ରେକ୍ଷୀ ରେ ରାୟପୁରଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଦାରିଙ୍ଗବାଡି ହିଲଭିୟ୍ୟୁ ନିକଟ ଘାଟିରେ ବୁଧବାର ଭୂସ୍ଖଳନ ହୋଇଛି । ପାହାଡ଼ରୁ ବଡ଼ ବଡ଼ ପଥର, ମାଟି ଖସିବା ସହ ବଡ଼ ଗଛ ଖସିଛି ତେବେ କାହାର କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ଏଭଳି ବର୍ଷା ଲାଗିରହିଲେ ଉକ୍ତ ଘାଟିରେ ଆହୁରି ଭୂସ୍ଖଳନ ହେବା ଆଶଙ୍କା କରାଯାଇଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ