ସମଣାରେ ୩୦୦ବର୍ଷ ପରେ ଚତୁର୍ଦ୍ଧାମୁରତୀଙ୍କ ମନ୍ଦିର ବିଜେ
ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ରନ୍ତନ୍ତ୍ର ସଂସ୍କୃତିରେ ଆନନ୍ଦପୁର ଉପଖଣ୍ଡ ସମଣା ଗ୍ରାମରେ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ସହ ଚତୁର୍ଦ୍ଧାମୁର୍ତ୍ତୀ ତିନିଶହ ବର୍ଷ ପୁର୍ବରୁ ପରମ୍ପରା ସହକାରେ ପୁଜିତ ହେଉଛନ୍ତି । ଏହି ଚତୁର୍ଦ୍ଧାମୁର୍ତ୍ତୀଙ୍କୁ କେନ୍ଦୁଝର ନରେଶ ଜନାର୍ଦ୍ଦନ ନାରାୟଣ ଭଞ୍ଜଦେଓପ୍ରତିଷ୍ଠା କରିଥିଲେ । ଶ୍ରୀଷ୍ଟାବ୍ଦ ୧୭୯୨ରେ ସିଂହାସନ ଆରୋହଣ କରିବାପରେ କେନ୍ଦୁଝର ରାଜ୍ୟକୁ ୪୪ଟି ଦଣ୍ଡପାଟରେ ବିଭକ୍ତ କରି ପ୍ରତ୍ୟେକ ଦଣ୍ଡପାଟରେ ଜଣିଏ ଲେଖାଏଁ ଗଡ ନାୟକ ନିଯୁକ୍ତ କରିଥିଲେ । ସମଣା ଦଣ୍ଡପାଟଟି ତନ୍ମଧ୍ୟରୁ ଅନ୍ୟତମ । ଦଣ୍ଡପାଟରେ ଇଷ୍ଟଦେବଙ୍କୁ ପ୍ରତିଷ୍ଠା କରିବା ସମୟରେ ତାଙ୍କପୂଜାର୍ଚ୍ଚନା କରିବା ପାଇଁ ଜମିବାଡି ଖଞ୍ଜିଦେବା ସହିତ ବ୍ରାହ୍ମଣ ଓ ସେବାକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ସମଣା ଦଣ୍ଡପାଟଟି ସମଣା ସଂଲଗ୍ନ ୮ଟି ଗ୍ରାମକୁ ନେଇ ଗଠିତ ହୋଇଥିଲା । ସେ ସମୟରେ ଏଠାରେ ସ୍ଥାପନ କରାଯାଇଥିବା ପ୍ରଭୁ ବଳଦେବଜୀଉ ଏକ ଚାଳଘରେ ପୂଜା ପାଇ ଆସୁଛନ୍ତି । ଏପରିକି ଗତ ୧୯୯୭ ମସିହାରେ ସମଣାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ଗ୍ରାମର ଅନେକ ଘର ଧ୍ୱଂସ ପାଇଯାଇଥିଲେବି ପ୍ରଭୁ ବଳଦେବଜୀଉ ରହୁଥବବା ଗରଟି ଅକ୍ଷୁର୍ଣ୍ଣ ରହିବା ସମସ୍ତଙ୍କୁ ଚକିତ କରିଥିଲା । ଏଠାରେ ମହାପ୍ରଭୂଙ୍କର ମୁଖ୍ୟତ ରଥଯାତ୍ରା, ବାହୁଡାଯାତ୍ରା, ସ୍ନାପୁର୍ଣ୍ଣିମା, ବାହୁଡାଯାତ୍ରା, ସ୍ନାନ ପୁର୍ଣ୍ଣିମା, ନବଯୌବନ ବେଶ ପାଳିତ ହେଉଥିବାବେଳେ ଆଜ୍ଞାମାଳ ପାଇ ଶ୍ରୀ ଗୋପୀନାଥଜୀଉ ବିମାନରେ ବିଜେକରି ଗ୍ରାମରେ ୭ଦିନ ବ୍ୟାପି ଖୋଡଦୋଳ ଦିନଠାରୁ ପୁଜାପାଇ ଶେଷଦିନ ନୁତନ ପଞ୍ଚିକା ଶ୍ରବଣ କରିନ୍ତି । ବୈତରଣୀ ନଦୀର ବାଲିପଠାରେ ଗୋପୀନାଥଜୀଉ ବିମାନରେ ଛତ୍ରି, ପାନପତ୍ରି, ଆଲଟ ଓ ବଇରଥ ସଙ୍କିର୍ତ୍ତନୀ ମଣ୍ଡଳି ସହ ଭ୍ରମଣକରି ଫେରିଥାନ୍ତି । ବଳଦେବଜୀଉଙ୍କ ପ୍ରତ୍ୟେହ ପୂଜାପାଇଁ ନିକଟରେ ଥିବା ବ୍ରାହ୍ମଣ ପରିବାର ନିୟୋଜିତ ହୋଇ ସକାଳେ ବାଳଭୋଗ, ମଧ୍ୟାହ୍ନରେ ଶଙ୍କୁଡି ମହାପ୍ରସାଦ, ରାତ୍ରି ସମୟରେ ଦହି ପଖାଳ ଭୋଗ ଅର୍ପଣ କରାଯାଇ ପହଡ କରାଇଥାନ୍ତି । କାର୍ତ୍ତକ ପୁର୍ଣ୍ଣିମା ସମୟରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ବୈତରଣୀରେ ବୁଡ ପକାଇ ଏଠାରେ ପ୍ରଭୁ ବଳଦେବଜୀୁଙ୍କ ଦର୍ଶନ କରିଥାନ୍ତି । ପ୍ରଭୁ ଚାଳଘରେ ପୂଜା ପାଉଥିବାରୁ ବର୍ତ୍ତମାନ ପୁଜକ ମାନଙ୍କ ପରାମର୍ଶକ୍ରମେ ଗ୍ରାମବାସୀମାନେ ମିଳିତ ହୋଇ ୫୧ଫୁଟ ଉଚ୍ଚତାର ଏକ ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି । ଆଜିଠାରୁ ଚାରିଦିନ ବ୍ୟାପି ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ କରାଯିବା ସହିତ ପଭୂଙ୍କର ମନ୍ଦିର ବିାଜ ମଧ୍ୟ କରାଯିବ । ତିନିଶହ ବର୍ଷପରେ ପ୍ରଭୁ ମନ୍ଦିର ପ୍ରବେଶ କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ନୁତନ ଆନନ୍ଦ ଓ ଉତ୍ସାହ ଖେଳି ଯାଇଛି । ଆଜି ଅଙ୍କୁରାରୋପଣ କରାଯିବା ସହିତ ଆସନ୍ତା କାଲି ସକାଳେ କଳଶ ଶୋଭାଯାତ୍ରା, ସୁର୍ଯ୍ୟପୂଜା ହୋମଯଜ୍ଞାଦି କରାଯିବା ସହିତ ମନ୍ଦିର ପ୍ରତିଷ୍ଠା କରାଯିବ । ଏଥିରେ ବହୁସଂଖ୍ୟାରେ ଜଗନ୍ନାଥପ୍ରେମୀ ଯୋଗଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।


