ତେଲିଆ ମୁଣ୍ଡରେ ତେଲ, ଭଙ୍ଗାଘର ବାଲାଙ୍କୁ ଆବାସ ଯୋଜନା ମନା
ହାଟଡିହି, (ବିକାଶ ବିଶ୍ୱାଳ):ସରକାର ତେଲିଆ ମୁଣ୍ଡରେ ତେଲ ଢ଼ାଳୁଛନ୍ତି, ଧନିକ ଶ୍ରେଣୀର ଲୋକଙ୍କୁ ଆବାସ ଯୋଜନା ଦେଉଥିବାବେଳେ ଭଙ୍ଗା ଚାଳଘରେ ବସବାସ କରୁଥିବା ଲୋକଙ୍କୁ ସତେ କଣ ଆବାସ ଯୋଜନା ମନା, ଏପରି ପ୍ରଶ୍ନ କରିଛନ୍ତି ଜମ୍ଭୀରା ଗ୍ରାମର ରେବତୀ ଜେନା, ଶାନ୍ତି ଜେନା, ରୁବି ଜେନା, ଝରଣା ଜେନା, ଆରତୀ ଜେନା, ରାଜଶ୍ରୀ ଘଡେଇ, ପଦ୍ମିନୀ ଜେନା, ଅହଲ୍ୟା ଜେନା, କାଞ୍ଚନ ଜେନା, ରଞ୍ଜୁ ଜେନା । ସେମାନେ ଦୀର୍ଘ ବର୍ଷ ହେଲା ବାରମ୍ବାର ଆବାସ ଯୋଜନାରେ ଘର ଖଣ୍ଡିଏ ପାିବାଲାଗି ଆବେଦନ କରି ଆସୁଥିଲେବି ସେମାନଙ୍କୁ ଘର ଯୋଗାଇ ଦିଆଯାଉ ନାହିଁ । ବିଶେଷକରି ଗତ କିଛିଦିନ ତଳେ ସେମାନଙ୍କ ନାମ ଥିବାବେଳେ ଏବେ ସେମାନଙ୍କ ନାମ ତାଲିକାରେ ନଥିବାରୁ ହତୋତ୍ସାହିତ ହୋଇ ପଡିଛନ୍ତି । ଗ୍ରାମର ଆରତୀ ଜେନାଙ୍କ ଅଭିଯୋଗ ଯେ ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ବାସଗୃହ ଖଣ୍ଡେ ପାଇବାଲାଗି ଗତ ୧୦ବର୍ଷ ହେଲା ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡୁଛନ୍ତି । ବାରମ୍ବାର ଏଥିଲାଗି ଆବେଦନ କରୁଥିଲେ ମଧ୍ୟ ତାଲିକା ବାହାରିବା ବେଳକୁ ତାଙ୍କ ନାମ ତାଲିକାରୁ ଉଭାନ ହୋଇ ଯାଇଥାଏ । ସେ ଆଜି ପର୍ଯ୍ୟନ୍ତ ଏକ ଭଙ୍ଗା ଚଳାଘରେ ପରିବାର ଲୋକଙ୍କୁ ଧରି କାଳ କାଟୁଛନ୍ତି । ସେହିପରି ଶାନ୍ତି ଜେନାଙ୍କ ଘରଟି ସମ୍ପୁର୍ଣ୍ଣ ଭୁଷୁଡି ପଡିବାକୁ ବସିଥିବାବେଳେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ । ପଲିଥିନି ଟାଙ୍ଗି ରହୁଛନ୍ତି । କେତେବେଳେ ଯେ ଘରଟି ତାଙ୍କ ଉପରେ ଭୁଷୁଡି ପଡିବ ତାହା କହିହେବ ନାହିଁ । ଏପରି ଅବସ୍ଥାରେ ସେମାନଙ୍କୁ ବାସଗୃହ ଦିଆଯାଉ ନାହିଁ । ସେହିପରି ଗ୍ରାମର ପଦ୍ମିନୀ ଜେନାଙ୍କ ଅଭିଯୋଗ ଯେ ସେ ଦୀର୍ଘବର୍ଷ ଧରି ଭଙ୍ଗା ଚାଳିଆରେ ବାସ କରୁଥିବାବେଳେ କେବଳ ଭୋଟ ସମୟ ଆସିଲେ ନେତାମାନେ ଆସି ଏଥର ଘର ଯୋଗାଇ ଦେବୁ ବୋଲି କହିଥାନ୍ତି । କିନ୍ତୁ ତା ପରେ ଆଉ ତାଙ୍କର ଦେଖା ମିଳେନି । ଘରପାଇଁ ଆବେଦନ କଲେ ଦଶହଜାର ନଦେଲେ ଘର ମିଳୁନି । କହିବୁ କାହାକୁ, ଶୁଣିବ କିଏ ଆମେ ତ ଗରିବ ଲୋକ । ଏଠି କେବଳ ତେଲିଆ ମୁଣ୍ଡରେ ତେଲ ବୋଲି ସେ କହିଛନ୍ତି । ହାଟଡିହି ବ୍ଲକର ବିଡିଓ ତାଙ୍କ ଗାଁକୁ ଯାଇ ଏହି ପରିବାର ଲୋକଙ୍କ ସ୍ଥିତି କିପରି ସେମାନେ ଅଛନ୍ତି ତାହା ସ୍ୱଚକ୍ଷୁରେ ଦେଖନ୍ତୁ ବୋଲି ସେମାନେ ନିବେଦନ କରିଛନ୍ତି ।


