ସମସ୍ୟା ଘେରରେ ପଢିଆରୀପଲ୍ଲି ସରକାରୀ ପ୍ରାଥମିକ ବିଦ୍ୟାଳୟ, ସ୍ମାର୍ଟ କ୍ଲାସ ପ୍ରହସନ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପଢ଼ିଆରୀପଲ୍ଲି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଟି ନାନା ସମସ୍ୟା ଦେଇ ଗତି କରୁଛି। ବରମ୍ବାର ଅଭିଯୋଗ ସତ୍ୱେ ଶିକ୍ଷା ବିଭାଗର ଅଧିକାରୀ ମାନେ ଏଥି ପ୍ରତି ଦୃଷ୍ଟି ଦେଉ ନଥିବାରୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ ବିଦ୍ୟାଳୟ ଟି ବ୍ଲକର ଏକ ସର୍ବ ପୁରାତନ ସ୍କୁଲ। ଏହି ସ୍କୁଲରେ ବର୍ତ୍ତମାନ ୮ଟି ଶ୍ରେଣୀ ଥିବାବେଳେ ୨୧୭ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟାନୁଯାୟୀ ଏବେ ୮ଜଣ ଶିକ୍ଷକ ଙ୍କ ଆବଶ୍ୟକତା ଥିବାବେଳେ ୫ଜଣ ଅଛନ୍ତି। ପ୍ରଧାନ ଶିକ୍ଷକ ପଦଵୀ ଖାଲି ପଡିଥିବା ବେଳେ ଜଣେ ଶିକ୍ଷୟିତ୍ରୀ ମାତୃକାଳୀନ ଛୁଟିରେ ଅଛନ୍ତି। ସେହିପରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଫିସ ଓ ଅନ୍ୟାନ୍ୟ କାର୍ଯ୍ୟ ରେ ବ୍ୟସ୍ତ ରହୁଥିବାରୁ ମାତ୍ର ୩ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ତନ୍ମଧ୍ୟରୁ କେହି ଛୁଟିରେ ରହିଲେ ତ କଥା ସରିଲା। ଶିକ୍ଷକ ନିଯୁକ୍ତି ନେଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସ୍ଥାନୀୟ ସରପଞ୍ଚ, ଅଭିଭାବକ ମାନେ ବ୍ଲକ ଶିକ୍ଷାଅଧିକାରୀ ଙ୍କୁ ବାରମ୍ବାର ଜଣାଇ ଥିଲେ ମଧ୍ୟ କୌଣସି ପ୍ରତିକାର କଲେ ନାହିଁ।ଫଳରେ ବିଦ୍ୟାଳୟରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେଉଛି। ସେହିପରି ବିଦ୍ୟାଳୟରେ ଶ୍ରେଣୀଗୃହ ର ଘୋର ଅଭାବ। ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ହେଉଥିବା ବେଳେ ଆଜକୁ ଦୁଇ ବର୍ଷ ହେଲା ଅଧାପନ୍ତରିଆ ପଡିରହିଛି। ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଥ ରାଉତ କହିଛନ୍ତି। ସେହିପରି ସ୍ମାର୍ଟ କ୍ଲାସରୁମ ପ୍ରସ୍ତୁତ ହୋଇ ପ୍ରୋଜେକ୍ଟର ଲାଗିଥିଲେ ମଧ୍ୟ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି ଓ ପ୍ରୋଜେକ୍ଟର ଚାଲିବାକୁ ଡାଟା ନାହିଁ। ତେଣୁ ଏହା କେବଳ ପ୍ରହସନ ପାଲଟିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପାଇଁ ବିଭିନ୍ନ ପ୍ରକାର ଯୋଜନା ପରେ ଯୋଜନା କରୁଥିଲେ ବି ଶିକ୍ଷକ ନିଯୁକ୍ତି ପ୍ରତି ଦୃଷ୍ଟି ଦେଉ ନଥିବାରୁ ଶିକ୍ଷା ଦାନ ବହୁ ମାତ୍ରାରେ ପ୍ରଭାବିତ ହେଉଛି। ଯଦି ଶିକ୍ଷା ବିଭାଗର ଅଧିକାରୀ ମାନେ ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଓ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।


