ସରସଦା ସମିତିରେ ଅଚଳାବସ୍ଥାକୁ ନେଇ ତେଜୁଛି ଅସନ୍ତୋଷ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ବାଲେଶ୍ୱର-ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଅଧିନ ସରସଦା ସମିତିରେ ଦୀର୍ଘଦିନ ହେବ ଅଚଳାବସ୍ଥା ଲାଗି ରହିଥିବାରୁ ଜନଅସନ୍ତୋଷ ବଢିବାରେ ଲାଗିଛି । ଗତ ମାର୍ଚ୍ଚ ମାସରେ ଧାନ ବିକ୍ରୟକୁ ନେଇ ବିବାଦ ଦେଖାଦେବାରୁ ଏଠାରେ ଥିବା ସମ୍ପାଦକ ନିର୍ମଳ ଚନ୍ଦ୍ର ଦାସଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇ ନୂତନ ସମ୍ପାଦକ ଭାବେ ସମିତି ପରିଚାଳନା ପାଇଁ ରାଜେନ୍ଦ୍ର କୁମାର ଖଣ୍ଡାଇଙ୍କୁ ଉଚ୍ଚ ପଦାଧିକାରୀ ଦାୟିତ୍ୱ ପ୍ରଦାନ କରିଥିଲେ । ପରିତାପର ବିଷୟ ବିଦାୟୀ ସମ୍ପାଦକ ଶ୍ରୀ ଦାସ ନୂତନ ସମ୍ପାଦକ ଶ୍ରୀ ଖଣ୍ଡାଇଙ୍କୁ ଗତ ମାର୍ଚ୍ଚ ୧୭ତାରିଖରୁ ସରକାରୀ ଭାବେ କୌଣସି ଦାୟିତ୍ୱ ହସ୍ତାନ୍ତର କରୁନାହାଁନ୍ତି । କାର୍ଯ୍ୟାଳୟର ନଥିପତ୍ର ସମେତ ଅନ୍ୟାନ୍ୟ ଆନୁସଂଗୀକ କାଗଜପତ୍ର ଏଯାଏଁ ନୂତନ ସମ୍ପାଦକଙ୍କୁ ପ୍ରଦାନ କରାଯାଇନାହିଁ । ଫଳରେ ସମିତିର ସଭ୍ୟ ମାନେ ଋଣ ବାବଦୀୟ ଅମାନତ ଓ ଅଂଶଧନର ହିସାବ ପାଇପାରୁନାହାଁନ୍ତି । ଏହାଛଡା ଲୋକମାନେ ବିଭିନ୍ନ କାର୍ଯ୍ୟରେ ସମିତିକୁ ଯାଉଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ହୋଇନଥିବାରୁ ଉପଯୁକ୍ତ ସେବା ପାଇବାରୁ ସେମାନେ ବଞ୍ଚିତ ହେଉଛନ୍ତି । ପୂର୍ବତନ ସମ୍ପାଦକ ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇନଥିବାରୁ ଭାରପ୍ରାପ୍ତ ନୂତନ ସମ୍ପାଦକ କାର୍ଯ୍ୟ କରିବାକୁ ଉଚିତ ମଣୁନାହାଁନ୍ତି । ଏନେଇ ସଭ୍ୟସଭ୍ୟାମାନେ ବିଭାଗର ଉଚ୍ଚପଦାଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏବାବଦରେ ସମବାୟ ବିଭାଗ ପ୍ରଶାସନିକ ଅଧିକାରୀ ସତ୍ୟପ୍ରକାଶ ସେଠୀଙ୍କ ମତାମତ ନେବାରୁ ସେ ଅଭିଯୋଗ ପାଇଥିବା ସ୍ୱୀକାର କରିଥିବାବେଳେ ଯଥାଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ