ସରସ୍ୱତୀ ଶିଶୁ ମନ୍ଦିରରେ ମାତୃ-ପିତୃ ପୂଜନୋତ୍ସବ ଓ ବାର୍ଷିକ ଉତ୍ସବ 

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍‌): ଚାନ୍ଦିପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗତକାଲି ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ମାତୃ-ପିତୃ ପୂଜନୋତ୍ସବ ଓ ୪ର୍ଥ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସମାଜସେବୀ ଶମ୍ଭୁନାଥ ଯାଦବଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବକୁ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ପ୍ରଦୀପ ପ୍ରଜ୍ଜୋଳନ କରି ଉଦ୍‌ଘାଟନ କରିବା ସହିତ ନିଜ ବକ୍ତବ୍ୟରେ ପିଲାମାନେ ଭଲ ମଣିଷଟିଏ ହୋଇ ଦେଶ ଓ ଜାତିର ଟେକ ରଖିବାକୁ ଆହ୍ୱାନ କରିଥିଲେ । ମୁଖ୍ୟ ଅତିଥି ଭାବେ ‘ସେଇଠୁ ଆରମ୍ଭ’ର ସଂପାଦକ ଶୁଭେନ୍ଦୁ ଦାସ କହିଥିଲେ ଭଦ୍ରମୁଖା ପିନ୍ଧିଥିବା ମଣିଷଟି ଛଳନା ଓ କପଟି ପରିହାର କଲେ ସମାଜ ଆପଣାଛାଏଁ ସଜାଡିଯିବ । ମୁଖ୍ୟବକ୍ତା ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଉତ୍ତର କ୍ଷେତ୍ର ସଂଯୋଜକ ଦେବେନ୍ଦ୍ର କୁମାର ମାହାଳିକ ନିଜ ବକ୍ତବ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରା ଭିତରେ ସମଗ୍ର ବିଜ୍ଞାନ ଲୁଚି ରହିଛି ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଗୀତାଞ୍ଜଳୀ ପାଣିଗ୍ରାହୀ ପିଲାଙ୍କୁ ନିର୍ମାଣରେ ପିତାମାତାଙ୍କ ଭୂମିକା ସଂପର୍କରେ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଡା. କୁମାର ଗୋପାଲ, ପଦ୍ମଲୋଚନ ଦାସ, ବିଷ୍ଣୁ ଚରଣ ଦାସ ଓ ରାଜ କିଶୋର ପ୍ରଧାନ ପ୍ରମୁଖ ନିନିଜ ବକ୍ତବ୍ୟରେ ସରସ୍ୱତୀ ଶିଶୁ ମନ୍ଦିରର ଭୂୟିୟସୀ ପ୍ରଶଂସା କରିଥିଲେ । ମାତୃ-ପିତୃ ପୂଜନ କାର୍ଯ୍ୟକ୍ରମକୁ ନାରାୟଣ ଭାଇଙ୍କ ସମେତ ସମସ୍ତ ଗୁରୁଜୀ-ଗୁରୁମାମାନେ ପରିଚାଳନା କରିଥିଲେ । ସଂପାଦକ ରାମକୃଷ୍ଣ ସାମଲ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସଭାପତି ପ୍ରଦୀପ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟା ନମିତା ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଦୀପକ ବେରା ପୁରସ୍କାର ବିତରଣୀକୁ ପରିଚାଳନା କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି ଉତ୍ସବରେ ଶତାଧିକ ମାତା-ପିତା ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ