ସଲମାନ ଆରମ୍ଭ କରିବେ ୟୁଟ୍ୟୁବ ଚାନେଲ
ଲକଡାଉନ ପରେ ଲକଡାଉନ-୨ ଆରମ୍ଭ ହୋଇଯାଇଛି। ଏପରିସ୍ଥଳେ ପୂରା ଦେଶ ସେଲ୍ଫ ଆଇସୋଲେସନରେ ରହିଛି। ବଲିଉଡର ସୁଲତାନ ସଲମାନ ଖାନ ମଧ୍ୟ ନିଜକୁ ସେଲଫ କ୍ବାରେଣ୍ଟାଇନ କରିଛନ୍ତି। ସେ ଲକଡାଉନ ପୂର୍ବରୁ ନିଜର ପନଭେଲସ୍ଥିତ ଫାର୍ମହାଉସରେ ଥିଲେ। ସେବେଠାରୁ ସେ ସେଠାରେ ହିଁ ରହିଛନ୍ତି। ଫାର୍ମହାଉସରେ ତାଙ୍କ ସହିତ ସୋହେଲ ଖାନଙ୍କ ପୁଅ ନିର୍ବାଣ ମଧ୍ୟ ଅଛନ୍ତି।ସଲମାନ ମଝିରେ ମଝିରେ ନିଜ ଇନଷ୍ଟାଗ୍ରାମରେ କେତେକ ଭିଡିଓ ନିହାତି ଭାବେ ଶେୟାର କରିଥାନ୍ତି। ଯେଉଁଥିରୁ ଜଣାପଡ଼ୁଛି ଯେ ତାଙ୍କ ଆକ୍ଟିଭିଟିଜ କ’ଣ ରହିଛି। ସଲମାନ ଏବେ ନିଜ ପ୍ରଶଂସକଙ୍କ ସହିତ ଯୋଡ଼ିହେବା ପାଇଁ ନିଜର ଏକ ୟୁଟ୍ୟୁବ ଚାନେଲ ଆରମ୍ଭ କରିବାକୁ ମନ ବଳାଇଛନ୍ତି। ସଲମାନଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ଯେ ସଲମାନ ଖୁବଶୀଘ୍ର ‘ବିଙ୍ଗ ସଲମାନ ଖାନ’ ନାମରେ ନିଜର ଏକ ୟୁଟ୍ୟୁବ ଚାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ସଲମାନ ନିଜର ଏହି ଚାନେଲରେ ନିଜ ଜୀବନ ସହିତ ଜଡ଼ିତ କେତେକ ଘଟଣା, ନିଜ ଆଖପାଖ ଲୋକଙ୍କର ପ୍ରେରଣାଦାୟକ କାହାଣୀ ଆଦି ଶେୟାର କରିବେ। ଏବେ ପନଭେଲ ଫାର୍ମହାଉସରୁ ସେ ଏହି ଚାନେଲକୁ ଲାଇଭ କରିବେ। ଚାନେଲର ସମସ୍ତ ଟେକ୍ନିକାଲ କାମ ସଲମାନଙ୍କ ଏକ ଟିମ ମୁମ୍ବାଇରୁ କରିବେ। ଚାନେଲେରେ କ’ଣ ପୋଷ୍ଟ କରାଯିବ, ଏହାର ନିଷ୍ପତ୍ତି ସଲମାନ ନେବେ। ସଲମାନ ଭାବୁଛନ୍ତି ୟୁଟ୍ୟୁବ ଚାନେଲ ମାଧ୍ୟମରେ ସେ ତାଙ୍କ ପ୍ରଶଂସକଙ୍କ ସହିତ ଅଧିକ ନିକଟତର ହୋଇପାରିବେ। ଚାନେଲର ଡିଜାଇନ ଓ ପ୍ରଥମ କଣ୍ଟେଣ୍ଟ କାମ ପୂରା ହୋଇସାରିଛି। ଖୁବଶୀଘ୍ର ସଲମାନ ନିଜର ଏହି ୟୁଟ୍ୟୁବ ଚାନେଲକୁ ଲାଇଭ କରିବେ ବୋଲି ଜଣାପଡ଼ିଛି।


