ମହାମାରୀ କରୋନା ସମୟରେ ଯୋଦ୍ଧା ସାଜିଲା ଗ୍ରାମୀଣ ବିକାଶ ଯୁବକସଙ୍ଘ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସାରା ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରିଥିବା ବେଳେ ସେଥିରୁ ବାଦ ପଡିନି କେନ୍ଦ୍ରାପଡା ଜିଲ୍ଲା । ସମ୍ପୂର୍ଣ୍ଣ ଭାବରେ ଲକଡାଉନ ହୋଇପଡିଛି ସମସ୍ତ ଅଚଂଳ । ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ । ରକ୍ତାଭାବ ଯୋଗୁଁ ହଇରାଣ ହରକତ ହେଉଛନ୍ତି ରୋଗୀ । ଏ ଖବର ପାଇ ଗ୍ରାମୀଣ ବିକାଶ ଯୁବକ ସଙ୍ଘର ଏକ ଟିମ ରକ୍ତ ଭଣ୍ଡାରର ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ପରେ ଅନୁଷ୍ଠାନର ପାଖାପାଖି ୧୨ରୁ ଉର୍ଦ୍ଧ୍ୱ ସଭ୍ୟ ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି । ସେହି ରକ୍ତଦାତାମାନେ ହେଉଛନ୍ତି ଶୁଭ୍ରଜିତ ମଲ୍ଲିକ, ପୁଷ୍ପାଞ୍ଜଳି ଜେନା, ଆଶିଷ ଦାସ, ବିଶ୍ୱପ୍ରକାଶ ବେଜ, ସ୍ଥିତିରଞ୍ଜନ ପାଢୀ, ଶୁକାନ୍ତ ପଣ୍ଡା, ସନ୍ତୋଷ ପଣ୍ଡା, ବାବାଜୀ ମଲ୍ଲିକ, ଭରତ ସାହୁ, ସ୍ୱୟଂ ସଙ୍କଳ୍ପ ଓଝା, ଶାନ୍ତନୁ ମଲ୍ଲିକ ଓ ଦୟାନିଧି ପ୍ରଧାନ ପ୍ରମୁଖ । ଏଭଳି ବିପତ୍ତି ସମୟରେ ଆଗାମୀ ଦିନରେ ଯେତିକି ସକ୍ଷମ ରକ୍ତ ଭଣ୍ଡାରକୁ ରକ୍ତ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଯୁବକ ସଙ୍ଘର ସଭାପତି ଆଶିଷ ଦାସ । ଏଭଳି କାର୍ଯ୍ୟ ପାଇଁ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କୁ କରୋନା ସମୟରେ ଜଣେ ଜଣେ ଯୋଦ୍ଧା ବୋଲି ସମ୍ବୋଧନ କରିଛନ୍ତି । ଜିଲ୍ଲାର ବୁଦ୍ଧିଜୀବି ମହଲରେ ପ୍ରସଂଶାର କେନ୍ଦ୍ରବିନ୍ଦୁ ପାଲଟିଛି ଗ୍ରାମୀଣ ବିକାଶ ଯୁବକ ସଙ୍ଘ ।


