ସହାୟ ହେଲା ବିଏସକେୱାଇ ; ମାଗଣାରେ ଉପକୃତ ହେଲେ ଛତ୍ରପୁର ବ୍ଲକର ଦୁଇ ରୋଗୀ
ଛତ୍ରପୁର, (ଦେବଦତ୍ତ ମହାରଣା):କୌଣସି ଗରିବ ଖଟିଖିଆ ପରିବାରର କେହି ଯଦି ଏକ ଜଟିଳ ରୋଗରେ ପୀଡିତ ହୁଅନ୍ତି, ତାହେଲେ ସଂପୃକ୍ତ ପରିବାରର ଲୋକେ ରୋଗରେ ପୀଡିତ ଆତ୍ମିୟକୁ ଭଲ କରିଦେବା ପାଇଁ ଭଗବାନଙ୍କୁ ଡାକିଥାଆନ୍ତି । କାରଣ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା ଲାଗି ଏହି ଗରିବ ପରିବାର ପାଖରେ ଅର୍ଥର ଅଭାବ ରହିଥାଏ । ମାତ୍ର ବିଏସକେୱାଇ ସ୍ୱାସ୍ଥ୍ୟ ବୀମା କାର୍ଡ ଏହି ଗରିବ ପରିବାର ଗୁଡିକୁ ମିଳିଲା ପରେ ଘରୋଇ ଡାକ୍ତରଖାନାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବା ଲାଗି ଅର୍ଥର ଚିନ୍ତା କରିବାକୁ ପଡୁନାହିଁ । ଉଦାହରଣ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଦୁଇ ଜଣ ରୋଗୀ । ଆର୍ଯ୍ୟପଲ୍ଲୀ ପଂଚାୟତର ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍. ଗାଙ୍ଗାମା ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଉତ୍କଳ ହସ୍ପିଟାଲରେ ମାଗଣାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ଅଗସ୍ତି ନୂଆଗାଁ ପଂଚାୟତର ନୋଳିଆ ନୂଆଗାଁ ଗ୍ରାମର ପୋକାଲ ସନ୍ୟାସୀଙ୍କ ଦୁର୍ଘଟଣାରେ ମୁଣ୍ଡ ମାଡ ହୋଇଯାଇଥିବାରୁ ସେହି ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଉତ୍କଳ ହସ୍ପିଟାଲ କାର୍ଯ୍ୟରତ ଡାକ୍ତର ସୁଶୀଲ ରଥ ଙ୍କ ଉତ୍ତମ ଚିକିତ୍ସା ଯୋଗୁଁ ଏସବୁ ସମ୍ଭବ ହୋଇଥିବା ରୁ ଏହି ଦୁଇ ରୋଗୀଙ୍କୁ ହସ୍ପିଟାଲରେ ପହଂଚାଇଥିବା ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ପଂଚାୟତର ସ୍ୱେଚ୍ଛାସେବୀ ଏନ୍. ଦୀନବନ୍ଧୁ, ଏମ.ପ୍ରସାଦ ଓ ଏନ୍. ଗୋପାଳ ଉତ୍କଳ ହସ୍ପିଟାଲ ର ଡାକ୍ତର ସୁଶୀଲ ରଥ,ଉତ୍କଳ ହସ୍ପିଟାଲ ର କର୍ତ୍ତୃପକ୍ଷଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


