ସାଧାରଣ ନିର୍ବାଚନ ଆଚରଣ ବିଧି ପୂର୍ବରୁ ଦାବି ପୂରଣ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘ ପିଅନ, ରାତ୍ର ଜଗୁଆଳ, ଝାଡୁଦାର ମିଳିତ ମଞ୍ଚ କର୍ମଚାରୀମାନଙ୍କୁ ନେଇ ଅଶୋକ ନଗର ଭୁବନେଶ୍ୱର କଂଗ୍ରେସ ଭବନ ପଛପଟେ ଥିବା ବୁଲନ ଭାଇ ସେବା ଭବନ ସମ୍ମିଳନୀ କକ୍ଷରେ ଗ୍ରାମ ପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ବିଭିନ୍ନ ମୌଳିକ ଦାବି ପୂରଣ ନିମନ୍ତେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏହି ସଭାକୁ ଗ୍ରାମ ପଞ୍ଚାୟତ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ସେନାପତି ଓ ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳ ପରିଚାଳନା କରିଥିଲେ । ମୁଖ୍ୟତଃ କର୍ମଚାରୀମାନଙ୍କ ୧୦ ଗୋଟି ଦାବି ଯଥା-ସମାନ କାମକୁ ସମାନ ଦରମା, ଦୈନିକ ମଜୁରି ୩୫୨ ଟଙ୍କାରୁ କମ ହେଉନଥିବା ଏକ ଆଦେଶନାମା ପଞ୍ଚାୟତିରାଜ ବିଭାଗରୁ ପ୍ରତ୍ୟେକ ଜିଲ୍ଲାପାଳ, ମଣ୍ଡଳ ଉନ୍ନୟନ ଅଧିକାରୀ ଓ ସରପଞ୍ଚଙ୍କ ନିକଟକୁ ପଠାଇବା ଓ ପଞ୍ଚାୟତିରାଜ ବିଧି ବ୍ୟବସ୍ଥାରେ ଏହି କର୍ମଚାରୀମାନଙ୍କୁ ଅନ୍ତର୍ଭୁକ୍ତ କରିବା, ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ ୧୨୫/୨୦୧୪ ମସିହା, ୧୯୬୪ ମସିହା ୧୨୩ ଆଇନକୁ ପଞ୍ଚାୟତିରାଜ ବିଭାଗରେ ସଂଶୋଧନ କରିବା, ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ ଦେବା, କର୍ମଚାରୀମାନଙ୍କ ମୃତ୍ୟୁ ଅନ୍ତେ ତାର ଉତ୍ତରାଧିକାରୀଙ୍କୁ ଥଇଥାନ କରିବା, ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ପଦୋନ୍ନତି ଦେବା ଏବଂ ପଞ୍ଚାୟତିରାଜ ବିଭାଗର ଇ-ଗଭର୍ଣ୍ଣାନ୍ସ ପୋର୍ଟାଲରେ କର୍ମଚାରୀମାନଙ୍କ ସବିଶେଷ ତଥ୍ୟକୁ ପଞ୍ଜିକରଣ କରିବା, ସ୍ୱତନ୍ତ୍ର ଭାବେ ବାର୍ଷିକ ବଜେଟରେ ପ୍ରୋଭିଜନ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଓ ବିଜେଡ଼ିର ସାଂଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ଯାଜପୁର, ୫-ଟି ସଚିବ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ମାନ୍ୟବର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି କରାଯାଇଛି । କାରଣ ଆଜି ପର୍ଯ୍ୟନ୍ତ ହେଲା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ତୃଣମୂଳସ୍ତରରେ ଗ୍ରାମ ପଞ୍ଚାୟତମାନଙ୍କରେ ବହୁବିଧ କାର୍ଯ୍ୟକୁ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସହାୟତା କରିବା ସହିତ ପଞ୍ଚାୟତର ଅଧିବାସୀଙ୍କୁ ଏହି ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ସେବା ପ୍ରଦାନ କରିଥାନ୍ତି । ହେଲେ ଓଡ଼ିଶାର ପାଖ ପଡ଼ୋଶୀ ରାଜ୍ୟ ମାନଙ୍କରେ ପଡ଼ୋଶୀ ସରକାର ଗ୍ରାମପଞ୍ଚାୟତ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ସମସ୍ତ ସରାକରୀ ଅନୁଦାନ ପ୍ରଦାନ ସହିତ ସମସ୍ତ ସୁବିଧା ସୁଯୋଗ ଦେଉଥିବା ବେଳେ ଓଡ଼ିଶା ସରକାରଙ୍କ କ୍ଷେତ୍ରରେ ଏହା ଗୋତି ଶ୍ରମିକ କୁତ୍ସିତ ପ୍ରଥା ଭଳି ୪ର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କୁ ଖଟାଇବା ଏହା କେତେଦୂର ଠିକ ବୋଲି ଉକ୍ତ ସଭାରେ କର୍ମଚାରୀ ମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲାଗ୍ରସ୍ତ ସମୟରେ ଅଭିଯୋଗ ଶୁଣାଣି ସମୟରେ ଗ୍ରା.ପ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପକ୍ଷରୁ ଦାବୀ ପୂରଣ ପାଇଁ ଅଭିଯୋଗ ପ୍ରଦାନ କରାଯାଇଥିଲା । ମାତ୍ର ୨ ମାସ ବିତି ଗଲାଣି ଏହା ମଧ୍ୟରେ । ହେଲେ କର୍ମଚାରୀ ମାନଙ୍କ ନାର୍ଯ୍ୟଦାବିକୁ ସୁବିଚାର କରି ସରକାରୀସ୍ତରରେ ଘୋଷଣା କରାନଯିବା ଏହା ମଧ୍ୟ ଆଉ ଏକ କ୍ଷୋଭ ଓ ଦୁଃଖ ଅଟେ । ଯଦି ରାଜ୍ୟ ସରକାର ସାଧାରଣ ନିର୍ବାଚନ-୨୦୨୪ର ଆଚରଣ ବିଧି ଲାଗୁ ପୂର୍ବରୁ ସରକାରୀ ମାନ୍ୟତା ସହିତ ସମାନ କାମକୁ ସମାନ ଦରମା ପ୍ରଦାନ ନ କରନ୍ତି, ତେବେ କର୍ମଚାରୀ ସଂଘ ପକ୍ଷରୁ ପଞ୍ଚାୟତସ୍ତରରୁ ଆନ୍ଦୋଳନ କରାଯିବା ସହିତ ଏହା ବ୍ୟାପକ କରାଯିବ ବୋଲି ଉପସ୍ଥିତ କର୍ମଚାରୀମାନେ ନିଷ୍ପତ୍ତି ନେଇଛନ୍ତି । ଉପସ୍ଥିତ ଥିବା କର୍ମଚାରୀଙ୍କ ମଧ୍ୟରେ ସନାତନ ପ୍ରଧାନ, ଅରୂପାନନ୍ଦ ଡାକୁଆ, ରାକେଶ କୁମାର ନାୟକ, ତାରେଣୀ ଭୂୟାଁ, ଚନ୍ଦ୍ରମଣି ରଣା, ଅଭିମନ୍ୟୁ ଦେହୁରୀ, ଶିବକୃଷ୍ଣ ବେହେରା, କରୁଣାକର ଜେନା, ଦେବରାଜ ପଲେଇ, ପ୍ରଶାନ୍ତ କୁମାର ପତ୍ରୀ ଏବଂ ସବୁ ଜିଲ୍ଲାର ଜିଲ୍ଲା ସଭାପତି ଓ ବ୍ଲକ ସଭାପତି ଉପସ୍ଥିତ ଥିଲେ ।


