ସାମ୍ବାଦିକଙ୍କ ଠାରୁ ବାଇକ୍ ଲୁଟ୍ ଘଟଣା : ପୋଲିସକୁ ସଫଳତା
ବନ୍ତ, (ଚାନ୍ଦିନୀ ମହାନ୍ତି) : ବାଲେଶ୍ୱର ଜିିଲା ଖନ୍ତାପଡା ଥାନା ଅଧିନ ୧୬ନଂ.ଜାତୀୟ ରାଜପଥରେ ଭଦ୍ରକ ଜିଲା ବନ୍ତ ବ୍ଲକର ସାମ୍ବାଦିକ ମାର୍କଣ୍ଡ ଧଡାଙ୍କୁ ଆକ୍ରମଣ କରାଯାଇ ବାଇକ୍, ମୋବାଇଲ ଓ ୧୦ ହଜାର ଟଙ୍କା ଲୁଟ୍ କରିନେବା ଘଟଣାରେ ଖନ୍ତାପଡା ପୋଲିସ ଗୁରବାର ରାତିରେ ଚଢାଉ କରି ବାଇକ୍ ଜବତ କରିବା ସହିତ ଏଥିରେ ସଂପୃକ୍ତ ବାଲେଶ୍ୱର ଟାଉନ୍ ଥାନା ଅଧିନ ଗୋପାଳଗାଁ(ଚୂନଭାଟି) ଗ୍ରାମର ନରେନ୍ଦ୍ର ଜେନା(୨୫)ଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଆଇଆଇସି କମଳ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଏ.ଏସ୍.ଆଇ ରତିକାନ୍ତ ଦାସଙ୍କ ସମେତ ପୋଲିସ କର୍ମଚାରୀ ମାନେ ଉକ୍ତ ଗ୍ରାମରେ ଚଢାଉ କରି ଚୋରି ବାଇକକୁ ଜବତ କରିଥିଲେ । ଅଭିଯୁକ୍ତ ଜଣକ ଚୋରି ବାଇକଟିକୁ ସେହିଗ୍ରାମର ଜଣେ ଯୁବକଙ୍କୁ ବନ୍ଧକ ଦେଇ କିଛି ଟଙ୍କା ନେଇଯାଇଥିଲା । ଫଳରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ବାଇକ ବନ୍ଧକ ରଖିଥିବା ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଉକ୍ତ ଚୋରି ଘଟଣାରେ କୌଣସି ରାକେଟ କାମ କରୁଛି କି ନାହିଁ ସେନେଇ ପୋଲିସ ଅଧିକ ତନାଘନା ଜାରି ରଖିଛି । ଖନ୍ତାପଡା ପୋଲିସର ଏହି ସଫଳତାକୁ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ପ୍ରଶଂସା କରାଯାଇଛି ।


