ସାରସ୍ୱତ ସମାଜସେବିକା, ଯନ୍ତ୍ରୀ ଶେଫାଳିଙ୍କ ସ୍ମୃତିରେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏ ସଂସାରରେ କିଛି ବ୍ୟକ୍ତିତ୍ୱ ଭୂମିଷ୍ଠ ହୋଇ ନିଜ ନିଜର ଏକ ସ୍ୱତନ୍ତ୍ର ପରିଚୟ ଜନମାନସରେ ସୃଷ୍ଟି କରି ଚିର ଅମର ହୋଇଛନ୍ତି । ନିଜ କର୍ମ, ନିଷ୍ଠା, ଦକ୍ଷତା, ସମୟାନୁବର୍ତ୍ତିତା ଦ୍ୱାରା ସମାଜର ହିତ ସାଧନ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ସମାଜସେବା ମାଧ୍ୟମରେ ସାଧାରଣ ଜନତାଙ୍କ ହୃଦୟରେ ଏକ ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେହିପରି ଜଣେ ନିଆରା ସମାଜସେବିକା, ଯନ୍ତ୍ରୀ, ଜନନେତ୍ରୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ ସୁଶ୍ରୀ ଶେଫାଳି ମହାନ୍ତି । ତାଙ୍କ ଆକସ୍ମିକ ବିୟୋଗ ସମସ୍ତଙ୍କୁ ଆଜି ସ୍ତବ୍ଧ କରିଦେଇଛି । ବରିଷ୍ଠ ସାମ୍ବାଦିକ, ଲିଙ୍ଗିପୁର ଅଞ୍ଚଳର ବାସିନ୍ଦା ଲିଙ୍ଗରାଜ ମହାନ୍ତିଙ୍କ ପୁତ୍ରବଧୂ ତଥା ଉଦୀୟମାନ ଯୁବ ସାମ୍ବାଦିକ, ସ୍ତମ୍ଭକାର ପ୍ରତିଭାଦୀପ୍ତ ଅଧିବକ୍ତା ସୌଭାଗ୍ୟରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ, ଲିଙ୍ଗିପୁର ୱାର୍ଡ଼ ନଂ ୧ରେ ୱାର୍ଡ଼ମେମ୍ବର ଭାବେ ନିର୍ବାଚିତ ହେଲାପରେ ବହୁ ଜନକଲ୍ୟାଣ କାର୍ଯ୍ୟକ୍ରମମାନ କରିଚାଲିଥିଲେ । ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ସ୍ଥାୟୀ ଜାଗା କରାଇପାରିଥିଲେ । ମୁକୁଳା ଟ୍ରାନସ୍ଫର୍ମରକୁ ବାଡ଼ ବୁଲେଇବା ହେଉ ଅବା କରୋନା ମହାମାହରୀରେ ସାଧାରଣ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟ ହେଉ, ସବୁଥିରେ ସେ ସିଦ୍ଧହସ୍ତା ଥିଲେ । ମାତ୍ର ବିଧାତାର ନିଷ୍ଠୁର ଖେଳ ଆଗରେ ସେ ଆମଠାରୁ ୨ ତାରିଖରେ ଅଶ୍ରୁଳ ବିଦାୟ ନେଲେ ଦୁଇ ଦିନର ଶିଶୁକୁ ଛାଡ଼ି । ତାଙ୍କ ଏକାଦଶାହ ଉପଲକ୍ଷେ କହିବାକୁ ବା ଲେଖିବାକୁ ଶବ୍ଦ ନାହିଁ । ତାଙ୍କ ଭିତରେ ଇନ୍ଦିରା ଗାନ୍ଧୀ ଲୌହ ମାନବୀ, ନନ୍ଦିନୀ ଶତପଥୀ ତଥା ସମାଜସେବିକା ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା, ମଦର ଟେରେସାଙ୍କ ପ୍ରତିଛବି ଦେଖିବାକୁ ମିଳୁଥିଲା । ବହୁ ଜନହିତକର କାର୍ଯ୍ୟ ନିଜ ଅଞ୍ଚଳ ତଥା ଅଭାବୀ, ଅସହାୟମାନଙ୍କ ପାଇଁ କରିଯାଇଛନ୍ତି, ଯାହା ଅବର୍ଣ୍ଣନନୀୟ । ସେ ଆଜି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଅନନ୍ୟ ଉଦାହରଣ ଓ ପ୍ରେରଣା । ମାତ୍ର ୩୫ ବର୍ଷ ବୟସରେ ଆମଠାରୁ ଅଶ୍ରୁଳ ବିଦାୟ ନେଇ ଚାଲିଗଲେ । ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ, ଏହାହିଁ ମୋର ପ୍ରାର୍ଥନା ।


