ଉଷ୍ମ ପରିବେଶରେ ସଂକ୍ରମିତ ହୋଇପାରେ କୋରୋନା ଭୂତାଣୁ

ଜେନେଭା: ଭାରତ ସହ ସମଗ୍ର ବିଶ୍ବରେ କୋରୋନା ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଏହା ନିର୍ଦ୍ଦିଷ୍ଟ ଭାବେ କୌଣସି ପରିବେଶରେ ବ୍ୟାପିବାର ଅଧିକ ଆଶଙ୍କା ରହିଛି ବୋଲି ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍‌ଲ୍ୟୁଏଚ୍‌ଓ)। ଏହି ଭୂତାଣୁ ଆର୍ଦ୍ରତା ଅଧିକ ଥିବା ଅଞ୍ଚଳରେ ବେଶ୍‌ ସହଜରେ ବ୍ୟାପିପାରେ ଓ ଉଷ୍ମ ପରିବେଶରେ ଏହି ଭୂତାଣୁ ପାଖରେ ବଂଶ ବିସ୍ତାର କରିବାର କ୍ଷମତା ନ ଥାଏ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଙ୍ଗଳବାର ଏପରି କୌଣସି ଆଶଙ୍କାକୁ ଭୁଲ୍‌ ପ୍ରମାଣିତ କରାଯାଇଛି ଓ କୋରୋନା ଭୂତାଣୁ କୌଣସି ବି ପରିବେଶରେ ନିଜର ବଂଶ ବିସ୍ତାର କରିବାର ଦକ୍ଷତା ରଖେ ବୋଲି କୁହାଯାଇଛି। ଉଷ୍ମ ଓ ଅଧିକ ତାପମାତ୍ରା ରହିଥିବା ଅଞ୍ଚଳରେ ବି ଏହି ଭୂତାଣୁ ସଂକ୍ରମିତ ହୋଇପାରେ ବୋଲି ଡବ୍‌ଲ୍ୟୁଏଚ୍‌ଓ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେଣୁ ଯେଉଁସବୁ ଦେଶରେ ଏହି ଭୂତାଣୁ ବ୍ୟାପିଛି, ସେଠାରେ ଲୋକେ ପ୍ରତିଷେଧକମୂଳକ ବ୍ୟବସ୍ଥାକୁ ଆପଣାଇଲେ ହିଁ ଏଥିରୁ ମୁକ୍ତି ପାଇପାରିବେ। ବିଶେଷକରି ଲୋକେ ସଂକ୍ରମିତ ଅଞ୍ଚଳକୁ ଆଦୌ ଗସ୍ତ ନ କରିବା ଉପରେ ସଂଗଠନ ପକ୍ଷରୁ ବିଶେଷ ଭାବେ ଗୁରୁତ୍ବ ଦିଆଯାଇଛି।
ଡବ୍‌ଲ୍ୟୁଏଚ୍‌ଓ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ କୋରୋନା ଭୂତାଣୁ କବଳରୁ ରକ୍ଷା ପାଇବାକୁ ହେଲେ ଆମକୁ ନିୟମିତ ବ୍ୟବଧାନରେ ସାବୁନ୍‌ ବା ସାନିଟାଇଜର୍‌ର ବ୍ୟବହାର ପୂର୍ବକ ହାତ ଧୋଇବା ଦରକାର। ଏହାଦ୍ବାରା କୌଣସି ବ୍ୟକ୍ତି ଦେହରେ କୋରୋନା ଭୂତାଣୁ ବ୍ୟାପିପାରିବ ନାହିଁ। ସେହିପରି ଥଣ୍ଡା ପରିବେଶରେ ଏହି ଭୂତାଣୁ ଅଧିକ ସମୟ ଜୀବିତ ରହିପାରେ ନାହିଁ ବୋଲି କୌଣସି ଗବେଷଣାରୁ ସ୍ପଷ୍ଟ ହୋଇନାହିଁ। ମଣିଷ ଶରୀରର ତାପମାତ୍ରା ସାଧାରଣତଃ ୩୬.୫ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରୁ ୩୭ ଡିଗ୍ରୀ ସେଣ୍ଟିଗ୍ରେଡ୍‌ ମଧ୍ୟରେ ରହିଥାଏ। ତେଣୁ ସାବୁନ୍‌ ବା ଆଲ୍‌କୋହଲ୍‌ ଯୁକ୍ତ ସାନିଟାଇଜର୍‌ରେ ହାତକୁ ପ୍ରତି ଦୁଇ ଘଣ୍ଟା ଅନ୍ତରରେ ପରିଷ୍କାର କରାଯିବା ଦ୍ବାରା ଏହି ଭୂତାଣୁକୁ ମାତ୍‌ ଦିଆଯାଇପାରିବ ବୋଲି ଡବ୍‌ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଛି। ସେହିପରି ଉଷ୍ମ ପାଣିରେ ଗାଧୋଇବା ଦ୍ବାରା ବି ଭୂତାଣୁ ସଂକ୍ରମଣ ସମ୍ଭାବନାକୁ ଶେଷ କରିହେବ ନାହିଁ। କାରଣ ମଣିଷ ନିଜ ଶରୀରର ସ୍ବାଭାବିକ ତାପମାତ୍ରାଠାରୁ କଦାପି ଅଧିକ ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ। ତେଣୁ କୋରୋନା ଭୂତାଣୁ ମାରିବା ଉଦ୍ଦେଶ୍ୟରେ କେହି ବି ନିଜ ଶରୀରଠାରୁ ଅଧିକ ଉତ୍ତପ୍ତ ପାଣିରେ ଗାଧୋଇଲେ, ଏହା ଚର୍ମ ପ୍ରତି ବିଶେଷ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହାଛଡ଼ା ମଶା ଦ୍ବାରା ଆଦୌ ଏହି ଭୂତାଣୁ ବ୍ୟାପେ ନାହିଁ ବୋଲି ଗବେଷଣାରୁ ସ୍ପଷ୍ଟ ହୋଇଥିବା ଡବ୍‌ଲ୍ୟୁଏଚ୍‌ଓ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ