ସାହିତ୍ୟ ପତ୍ରିକା ବନ୍ଧୁ ଲୋକାର୍ପିତ
ଭୁବନେଶ୍ୱର, (ୱାଇଏନ୍ଏସ୍): ସାହିତ୍ୟ ପତ୍ରିକା ବନ୍ଧୁର ପ୍ରବନ୍ଧ ସଂକଳନ ୨୦୨୧ ଲୋକାର୍ପଣ କାର୍ଯ୍ୟକ୍ରମ ସ୍ଥାନୀୟ ଜୟ ଭାରତ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାହିତ୍ୟିକ ତଥା ବିଜେପିର ବରିଷ୍ଠ ନେତା ଡ. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସମ୍ପାଦକ ଡ. ବନମାଳୀ ବାରିକ ଯୋଗ ଦେଇ ପ୍ରବନ୍ଧ ସାହିତ୍ୟ ମାଧ୍ୟମରେ ସମାଜରେ ବୈପ୍ଳବିକ ପରିବର୍ତନ ଆସିପାରିବ ବୋଲି ମତବ୍ୟକ୍ତ କରିବା ସହିତ, ସାହିତ୍ୟ ଯେପରି ଜନକଲ୍ୟାଣରେ ଲାଗିପାରିବ ତାହା ଉପରେ ଲେଖକ, ପାଠକ, ପାଠିକାମାନେ ଧ୍ୟାନ ଦେବାକୁ ବକ୍ତବ୍ୟରେ କହିଥିଲେ । ମୁଖ୍ୟ ସଂଯୋଜକ ସାହିତ୍ୟିକ ଭୁବନାନନ୍ଦ ତ୍ରିପାଠୀ ସଭାକୁ ପରିଚାଳନା କରିବା ସହିତ ସମାଜରେ ସାହିତ୍ୟ ପ୍ରତି ଅନୁରକ୍ତ ହେବାକୁ ପରାମର୍ଶ ଦେଇଥିଲେ । ସଭାପତିତ୍ୱ ଭାବେ ସାହିତ୍ୟିକ ଦୁର୍ଗାଚରଣ ନାୟକ ଏହାର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ । ବନ୍ଧୁର ଲେଖକ ଲେଖିକାମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିବା ସହିତ ନିଜ ନିଜ ସ୍ତରରେ ଉଦ୍ୟମ ରହିଲେ ସାହିତ୍ୟ ଓ ସମାଜର ବ୍ୟାପକ ଉନ୍ନତି ହୋଇପାରିବ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମକୁ କବି ନିତ୍ୟ ରଞ୍ଜନ ନନ୍ଦ ସହଯୋଗ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଉଦୟନାଥ ମହାପାତ୍ର ।


