ସିଂହଦ୍ୱାର ଚକଡ଼ା ଲାଗିଲା ଶ୍ରୀବଳଦେବଜୀଉଙ୍କ ବ୍ରହ୍ମତାଳଧ୍ୱଜ ରଥ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ମାଉସୀ ମା’ଙ୍କ ଘରୁ ସିଂହଦ୍ୱାରକୁ ବାହୁଡିଥିବା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ଅଧା ବାଟରେ ଫୁଟପାଥକୁ ମାଡି ଯାଇ ଅଟକି ରହିଥିଲା । ସୋମବାର ଅପରାହ୍ନ ୨ଟା ୨୦ରେ ରଥ ଟଣା ଆରମ୍ଭ ହୋଇଥିଲା । ସିଂହଦ୍ୱାର ସମ୍ମୁଖରେ ରଥ ପହଞ୍ଚିବା ବେଳକୁ ଅପରାହ୍ଣ ୪ଟା ୨୫ମିନିଟ ହୋଇ ଗଲା । ତେବେ ରବିବାର ରଥଟଣା ବେଳେ ଯେଉଁ ବିଭ୍ରାଟ ହୋଇଥିଲା ସୋମବାର ତାହାର ପୁନରାବୃତ୍ତି ହୋଇ ନ ଥିଲା । କାରଣ ରବିବାର ରଥ ସିଂହଦ୍ୱାରକୁ ଫେରିବା ବାଟରେ ୨୦୦ ମିଟର ଗଡି ବାମ ପାଶ୍ୱର୍କୁ ମାଡି ଯାଇଥିଲା । ରଥକୁ ସଠିକ ଦିଗକୁ ଆଣିବା ପାଇଁ ସମୟ ଲାଗିଥିଲା । ରଥ ସଠିକ ଦିଗକୁ ଆସିବା ବେଳେ ସୂର୍ଯ୍ୟାସ୍ତ ହୋଇ ଯାଇଥିଲା । ତେଣୁ ରଥ ଆଉ ଗଡି ନ ଥିଲା । ତେଣୁ ସୋମବାର ରଥ ଟଣାଯାଇ ଚକଡ଼ାରେ ଲାଗିଛି । ସୋମବାର ସକାଳୁ ରଥ ଟାଣିବା ପାଇଁ ହଜାର ହଜାର ଭକ୍ତ ରଥ ଦାଣ୍ଡରେ ସମବେତ ହୋଇଥିଲେ । ସେହିପରି ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ରଥଦାଣ୍ଡରେ ପହଞ୍ଚିଥିଲେ । ଘଣ୍ଟ, ଘଣ୍ଟା, କାହାଳୀ ଶବ୍ଦରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଭକ୍ତ ଓ ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ରଥ ଟାଣିଥିଲେ । ରଥ କିଛି ବାଟ ଯିବା ପରେ ରହିଥିଲା । ଫଳରେ ଭକ୍ତମାନେ ରଥାରୂଢ ଠାକୁରଙ୍କୁ ରଥଦାଣ୍ଡରେ ଦର୍ଶନ କରିଥିଲେ । ପୂର୍ବଦିନ ରଥ ବୋଲ ମାନି ନ ଥିବାରୁ ରଥ ଚାଳକ ରଥକୁ ନିୟନ୍ତ୍ରଣ କରି ପାରି ନ ଥିଲେ । ଫଳରେ ରଥଟି ବାମ ପାଶ୍ୱର୍କୁ ମାଡି ଯାଇଥିଲା । ରଥକୁ ସଠିକ ମାର୍ଗକୁ ଆଣିବା ପାଇଁ ରେଳ ବିଭାଗର ହାଇଡ୍ରୋଲିକ ଜଗ ବ୍ୟବହାର କରାଯାଇଥିଲା । ସୋମବାର ବିନା କୌଣସି ପ୍ରତିବନ୍ଧକରେ ରଥ ସିଂହଦ୍ୱାର ଚକଡ଼ାରେ ଲାଗିଥିଲା । ଫଳରେ ହଜାର ହଜାର ଭକ୍ତ ସୋମବାର ରଥାରୂଢ ଶ୍ରୀଜୀଉମାନଙ୍କୁ ଦର୍ଶନ କରିଛନ୍ତି । ଗୁଣ୍ଡିଚା ସମୟରେ ଯେପରି ରଥ ବାମ ପାଶ୍ୱର୍କୁ ମାଡି ଯାଇଥିଲା ବାହୁଡା ସମୟରେ ମଧ୍ୟ ତାହାର ପୁନରାବୃତ୍ତି ହୋଇଥିଲା । ତେଣୁ ରଥ କାହିଁକି ସଠିକ ଭାବେ ଗଡି ପାରୁନାହିଁ ତାହାର ସମୀକ୍ଷା କରାଯାଉ ବୋଲି ବଳଦେବ ସେନାର ଆବାହକ ତଥା ଗବେଷକ ନିରଞ୍ଜନ ମେକାପ ଏବଂ ବରିଷ୍ଠ ଆଇନଜୀବୀ ବିଭୁଭୂଷଣ ମହାପାତ୍ର ଦାବି କରିଛନ୍ତି । ସେମାନେ କହିଛନ୍ତି ପ୍ରଶାସନ ଯେତେବେଳେ ପ୍ରସ୍ତୁତି ବୈଠକ ଡକାଉଛି ସେତେବେଳେ ଅଭିଜ୍ଞ ଲୋକଙ୍କୁ ବୈଠକକୁ ଡକାଯାଉନାହିଁ । ଯେଉଁମାନଙ୍କର ରଥ ସଂକ୍ରାନ୍ତରେ ଅଭିଜ୍ଞତା ରହିଛି ସେମାନଙ୍କୁ ବୈଠକରୁ ଦୂରେଇ ରଖାଯାଉଛି । ଯାହାର ଫଳ ସ୍ୱରୂପ ଗୁଣ୍ଡିଚା ଓ ବାହୁଡାରେ ରଥ ଟଣାରେ ବିଭ୍ରାଟ ଘଟିଲା । ତେଣୁ ପ୍ରଶାସନ ଏନେଇ ସଚେତନ ରହିବା ଆବଶ୍ୟକ ବୋଲି ସେମାନେ କହିଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କହିଛନ୍ତି ରଥ ଗଡିବା ବେଳେ ଯେଉଁ ବିଭ୍ରାଟ ହେଲା ତାହାର ବୈଷୟିକ ତଦନ୍ତ କରାଯାଉ । ସେହିପରି ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ