ସିପିଆଇ (ଏମ୍ଏଲ୍) ତରଫରୁ ବାଇକ ରାଲି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସିପିଆଇ (ଏମ୍ଏଲ୍) ପକ୍ଷରୁ ଏକ ବାଇକ ରାଲି ଓ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ପ୍ରାୟ ୧୦୦ରୁଅଧିକ ବାଇକ ଯୋଗେ ପଟୁଆରରେ ବାହାରି ବ୍ଲକର ବିଭିନ୍ନ ଗ୍ରାମ ପରିକ୍ରମା କରି ରାଗେଇଝୁଲି ଗ୍ରାମ ଠାରେ ଲାଲ ସଲାମ ନାରା ଦେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଗଜପତି ଓ ରାୟଗଡ ଜିଲ୍ଲାର ସିପିଆଇ(ଏମ୍ଏଲ୍)ର ମିଳିତ ଆନୁକୁଲ୍ୟରେ ହୋଇଥିଲା । ମୁଖ୍ୟତଃ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମହେରଙ୍କୁ ନ୍ୟାୟ ମିଳିବା ସହ ଦୋଷୀଙ୍କୁ ଉଚ୍ତି ଦଣ୍ଡବିଧାନ ଦେବା ଏବଂ ତାଙ୍କ ପରିବାର ବର୍ଗଙ୍କୁ ଏକ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବା, ସାହୁକାର ମାନେ ଲୁଚେଇ ରଖିଥବୀ ସିଲିଂ ଜମି ବାହାର କରି ଗରିବମାନଙ୍କୁ ପଟ୍ଟା ବଣ୍ଟନ, ୩କଳା କୃଷି ଆଇନ ତଥା ବିଲକୁ ପ୍ରତ୍ୟାହାର କରିବା, ୨୦୨୦ ବିଦ୍ୟୁତ ବିଲ ସଂଶୋଧନ ବନ୍ଦକରିବା, ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ନିମ୍ନମାନର କାର୍ଯ ନକରି ଉନ୍ନତ ତଥା ଉନ୍ନୟନ ମୂଳକ କାର୍ଯ୍ୟକରିବା ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ ଏହି ପ୍ରସଙ୍ଗ ଗୁଡିକୁ ତୁରନ୍ତ ପୁରଣ କରିବା ପାଇଁ ଦାବି ମଧ୍ୟ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ସିପିଆଇ(ଏମ୍ଏଲ୍)ର ସମ୍ପାଦକ ବିଦ୍ୟାଧର ପାତ୍ର, ରାଜ୍ୟ କମିଟି ମେମ୍ବର ତ୍ରିପତି ଗମାଙ୍ଗ, ନୂଆଗଡ ବ୍ଲକ ସଭାପତି ଯାକୁବ କାର୍ଯୀ, ରାୟଗଡ ଜିଲ୍ଲାର ଆଦିବାସୀ ଅଧିକାର ବିକାଶ ମଞ୍ଚର ଅନାସିମ ଶବର, ରାଜ୍ୟ କମିଟି ମେମ୍ବର ବୃନ୍ଦାବନ ବିଳିକା ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସିପିଆଇ (ଏମ୍ଏଲ୍)ର ପଞ୍ଚାୟତ ସଭାପତି ନର୍ସି ମଣ୍ଡଳ ପରିଚାଳନା କରିଥିଲେ ।


