ସିପିଆଇ ଓ କଂଗ୍ରେସର ବିକ୍ଷୋଭ ବେଳେ କର୍ମଚାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି, ୨ କର୍ମଚାରୀଙ୍କ ସମେତ ବହୁ ମହିଳା ଆହତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଆଜି ବନ୍ତ ବ୍ଲକ ସମ୍ମୁଖରେ ସିପିଆଇ ଓ କଂଗ୍ରେସ ଦଳ ପକ୍ଷରୁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘର ସଭାପତି ଓ ସଂପାଦିକାଙ୍କୁ ଅଗଣତାନ୍ତ୍ରିକ ଭାବେ ପଦବୀରୁ ବାହାର କରାଯାଇ ନୂତନ ସଭାପତି ଓ ସଂପାଦିକା ଚୟନ କରିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଥାନା ଛକ ଠାରୁ ଉଭୟ ଦଳର ଶତାଧିକ କର୍ମୀ ହାତରେ ବ୍ୟାନର ଓ ପତାକା ଧରି ଏକ ଶୋଭା ଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ପହଞ୍ôଚ ଥିଲେ । ସେଠାରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ କରାଯିବା ପରେ କର୍ମୀ ମାନେ ବ୍ଲକ ଭିତରକୁ ଧସେଇ ପଶି ଥିଲେ । ଆନ୍ଦୋଳନକାରୀ ମାନେ ସିଧାସଳଖ ବି.ପି.ଏମ୍ଙ୍କ ଅଫିସ ନିକଟକୁ ଯାଇ କାଗଜପତ୍ର ଫୋପାଡି ଦେଇଥିଲେ । ଏଥିରେ ଉପସ୍ଥିତ କର୍ମଚାରୀ ମାନେ ବିରୋଧ କରିବାରୁ ସେମାନଙ୍କ ସହ ଧସ୍ତାଧସ୍ତି ହୋଇଥିଲା । ସେଠାରେ ଉପସ୍ଥିତ ଥିବା ପୋଲିସ ମହିଳା ଆନ୍ଦୋଳନକାରୀ ମାନଙ୍କୁ ଠେଲାପେଲା କରିଥିଲେ । ଏହି ଧସ୍ତାଧସ୍ତି ବେଳେ ବି.ପି.ଏମ୍, ଜଣେ ପୋଲିସ କର୍ମଚାରୀଙ୍କ ସମେତ କିଛି ମହିଳା ଆହତ ହୋଇଥିବା ଜଣାଯାଇଛି । ବିପିଏମ୍ ଓ ପୋଲିସ କର୍ମଚାରୀଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ପଠାଯାଇଛି । ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଥିଲା । ଖବରଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ମାମଲା ରୁଜ୍ଜୁ ହୋଇନଥିବା ଜଣାଯାଇଛି । ପ୍ରକାଶ ଥାଉକି, ଉକ୍ତ ମହିଳା ମହାସଂଘର ସଭାପତି ଓ ସଂପାଦିକାଙ୍କୁ ଅଗଣତାନ୍ତ୍ରିକ ଭାବେ ପଦବୀରୁ ହଟାଯାଇ ନୂଆ ସଭାପତି ଓ ସଂପାଦିକା ଚୟନ କରିବା ପ୍ରତିବାଦରେ ଗତ ତା-୩୦-୯-୨୦ ରିଖରେ ବ୍ଲକ ସମ୍ମୁଖରେ ଗଣଧାରଣା ଓ ଅନଶନ ହୋଇଥିଲା । ଦୀର୍ଘ ୭ ଦିନ ଅନଶନ କରାଯିବା ପରେ ଜିଲା ପ୍ରଶାସନର ପ୍ରତିଶୃତ କ୍ରମେ ମହିଳା ମହାସଂଘର ନେତ୍ରୀ ମାନେ ସିପିଆଇ ଓ କଂଗ୍ରେସ ଦଳର ନେତୃତ୍ୱଙ୍କ ଉପସ୍ଥିତିରେ ଅନଶନ ଭଙ୍ଗ କରିଥିଲେ । ପ୍ରତିଶୃତ ମୁତାବକ ତଦନ୍ତକାରୀ ଟିମ୍ ମାଧ୍ୟମରେ ୩ ଦିନ ମଧ୍ୟରେ ଉକ୍ତ ଘଟଣାର ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶୃତ ଦିଆଯାଇଥିଲା । ମାତ୍ର ପ୍ରଶାସନ ଦେଇଥିବା ପ୍ରତିଶୃତି ଅନୁସାରେ କୌଣସି କାର୍ଯ୍ୟ ଆରମ୍ଭ ନହେବାରୁ ଉଭୟ ଦଳର ନେତୃତ୍ୱ ମାନେ ବାଧ୍ୟ ହୋଇ ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବିକ୍ଷୋଭ କରିଥିବା ଜଣାଯାଇଛି ।


