ସିପିଆଇ ପକ୍ଷରୁ ମଣିପୁର ସଂହତି ଦିବସ ପାଳନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବନ୍ତ ଜୋନ୍ କମିଟି ପକ୍ଷରୁ ମଣିପୁର ରାଜ୍ୟର ହିଂସା ଓ ଦଙ୍ଗା ଗୃହଦାହ, ନାରୀ ନିର୍ଯ୍ୟାତନା ପ୍ରତିବାଦରେ ବନ୍ତ ବଜାରରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରୁ କର୍ମୀ ମାନେ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ । ମେଡିକାଲ ଛକ ଠାରେ ବରିଷ୍ଠ ସାଥୀ ସୁବାଷ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିପିଆଇ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସମ୍ପାଦକ ରମେଶ ଜେନା, ସମିତି ସଭ୍ୟ ତଥା ଆଇନଜୀବି ପରମେଶ୍ୱର ବାରିକ, ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନା, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଦିଲୀପ ନାୟକ, ଫକୀର ଚରଣ ବିଶ୍ୱାଳ, ନିରଞ୍ଜନ ନାୟକ, ବରିଷ୍ଠ ସାଥୀ ଗୋପବନ୍ଧୁ ସେଠୀ ଯୋଗ ଦେଇ ମଣିପୁରରେ ଦୀର୍ଘ ୩ ମାସ ଧରି ହିସାଂ, ଗୃହଦାହ, ନାରୀ ନିର୍ଯ୍ୟାତନା ସହିତ ସାମ୍ପ୍ରଦାୟିକ ଦଙ୍ଗାକୁ ପ୍ରଶମିତ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ସମାଲୋଚନା କରିବା ସହିତ ମଣିପୁର ରାଜ୍ୟ ସରକାରକୁ ବରଖାସ୍ତ କରିବା ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ମଣିପୁରରେ ସଦ୍ଭାବନା, ଶାନ୍ତି, ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ଏହି ପ୍ରତିବାଦ ସଭା ଓ ଶୋଭାଯାତ୍ରାକୁ ସଫଳ କରାଇବାରେ କିଶୋର ବେହେରା, ଦୁଲ୍ଲା ଖାଁ, ସେକ୍ ସୁଜାଉଦ୍ଦୀନ, ଭାସ୍କର ଚନ୍ଦ୍ର ବେହେରା, ଧନେଶ୍ୱର ଜେନା, ଅଭିମନ୍ୟୁ ଜେନା, ଅନିରୁଦ୍ଧ ଜେନା, ସଞ୍ଜୟ ସାମଲ, ବିଷ୍ଣୁ ଚରଣ ଜେନା, ନୃସିଂହ ଦାସ, ରବିନ୍ଦ୍ର ସେଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


