ସୁଲଣ ଓ ସୋସୋ ପଞ୍ଚାୟତରୁ ଲକ୍ଷଲକ୍ଷ ଟଙ୍କା ହଡପ ଘଟଣାର ତଦନ୍ତ ତଦନ୍ତରେ ରହିଗଲା

ହାଟଡ଼ିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ଓ ସୋସୋ ପଞ୍ଚାୟତରେ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତାର ତଦନ୍ତ ତଦନ୍ତରେ ରହିଯାଇଛିି । ଉକ୍ତ ଦୁଇ ପଞ୍ଚାୟତର ପିଇଓ ଥିବା ବ୍ୟାସଦେବ ନାଏକଙ୍କୁ ଦାୟିତ୍ୱ ହସ୍ତାନ୍ତର ନକରି କାହିଁକି ଏଠାରୁ ରିଲିଭ କରାଗଲା ଓ ଏଥିପାଇଁ ଦାୟୀ କିଏ ବୋଲି ଉଠିଛି ପ୍ରଶ୍ନବାଚୀ । ଏପରିକି ରିଲିଭ ପୁର୍ବରୁ ଉଭୟ ପଞ୍ଚାୟତର ସରପଞ୍ଚଙ୍କୁ ମଧ୍ୟ ଏ ବାବଦରେ ପଚରାଗଲା ନାହିଁ । ଯାହାକି ବ୍ଲକ ପ୍ରଶାସନର ଏପରି ପଦକ୍ଷେପକୁ ନେଇ ପ୍ରଶ୍ନବାଚୀ ସଷ୍ଟି ହୋଇଛି । ଏବେ ସୁଲଣ ପଞ୍ଚାୟତରେ ସରପଞ୍ଚ ଓ ପିଇଓଙ୍କ ସଲାସୁତୁରାରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଛି । ୨୦୧୭/୧୮ ରେ ପଞ୍ଚାୟତକୁ ମିଳିଥିବା ୨୩ଲକ୍ଷ ୩୨ହଜାର ଟଙ୍କାକୁ କେଉଁଠି ଓ କିପରି ଭାବେ ଖର୍ଚ୍ଚ କରାଯାଇଛି ତାହାର କୌଣସି ହିସାବପତ୍ର ନଥିବାବେଳେ ୨୦୧୮/୧୯ରେ ଆସିଥିବା ୨୬ଲକ୍ଷ ୨୬ହଜାର ଟଙ୍କାର ଅନୁଦାନକୁ ହେରଫେର କରାଯାଇଛି । ସେହିପରି ଗତ ଫେବୃୟାରୀ ମାସରେ ସ୍ୱତନ୍ତ୍ର ଅନୁଦାନରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ପଞ୍ଚାୟତ କର୍ତ୍ତୁପକ୍ଷ କଳ୍ୟାଣ ମଣ୍ଡପ ନିର୍ମାଣ ନକରି ସେହି ଟଙ୍କାକୁ ଉଠାଇ ନେଇଛନ୍ତି । ସେହିପରି ପଞ୍ଚାୟତକୁ ପୁରସ୍କାର ପାଇଁ ଆସିଥିବା ୩ଲକ୍ଷ ଟଙ୍କାର ମଧ୍ୟ କୌଣସି ହିସାବ ନାହିଁ ବୋଲି ୱାର୍ଡସଭ୍ୟସଭ୍ୟା ମାନେ ଅଭିଯୋଗ କରିଥିଲେ । ସେହିପରି ସୋସୋ ପଞ୍ଚାୟତରେ ୨୬ଲକ୍ଷରୁ ଉର୍ଦ୍ଧ ଟଙ୍କାର ହିସାବପତ୍ର ମିଳୁନଥିବାବେଳେ ଅଧିକାଶଂ କାର୍ଯ୍ୟର ପେମେଣ୍ଟ ହୋଇନଥିଲେ ମଧ୍ୟ ପଞ୍ଚାୟତରେ ଟଙ୍କା ଜମା ନାହିଁ । ୨୦୧୯/୨୦ପାଇଁ ଆସିଥିବା ଅନୁଦାନ ଟଙ୍କାରୁ ମଧ୍ୟ ବେନିୟମ ଭାବେ ଟଙ୍କା ଉଠାଣ ହୋଇଯାଇଛି । ଏହି ଦୁଇଟିଯାକ ପଞ୍ଚାୟତର ପିଇଓ ଭାବେ ବ୍ୟାସଦେବ ନାଏକ କାର୍ଯ୍ୟକରୁଥିଲେ । ସେ ଏଠାରୁ ପାଟଣା ବ୍ଲକକୁ ବଦଳି ହୋଇଯିବାପରେ ଏଠାର ଦାୟିତ୍ୱ ହସ୍ତାନ୍ତର ନକରି ରିଳିଭ ହୋଇ ଯାଇଥିଲେ । ଏପରିକି ଏଠାରୁ ରିଲିଭ ହୋଇ ଯିବାପରେ ମଧ୍ୟ ସୁଲଣ ଓ ସୋସୋ ପଞ୍ଚାୟତର ଟଙ୍କା ଉଠାଣ କରିଚାଲିଥିଲେ । ଏନେଇ ବାରମ୍ବାର ଅଭିଯୋଗ ହେବାପରେ ଡିଆରଡିଏ ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଗତ ଅକ୍ଟୋବର ୧୭ତାରିଖରେ ଜିଲ୍ଲା ସହକାରୀ ପ୍ରକଳ୍ପ ଅଧିକାରିଣୀ ଲିଲି କୁମାରୀ କୁଲୁ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିବବ୍ରତ ତ୍ରିପାଠୀ, ଜିଲ୍ଲା ସୋସିଆଲ ଅଡିଟର ଚନ୍ଦନ ଅମୃତାୟନ ଆଇଚ, ଏପିଡି ଫାଇନାନସ ମୁକେଶ କୁମାର ସାହୁ ପ୍ରମୁଖ ସୋସୋ ଓ ସୁଲଣ ପଞ୍ଚାୟତରେ ପହଞ୍ଚି ତଦନ୍ତ କରିଥିଲେ । ମାତ୍ର ପୁର୍ବତନ ପିଇଓ ଅନୁପସ୍ଥିତ ରହିବାରୁ କୌଣସି ରେକର୍ଡପତ୍ର ଦେଖି ନପାରି ଫେରିଯାଇଥିଲେ । ଆଜକୁ ମାସାଧିକ କାଳ ଅତିକ୍ରମ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିଲାନାହିଁ କିମ୍ବା ସଂପୃକ୍ତ ସରପଞ୍ଚ ଓ ପିଇଓଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ରାଜ୍ୟ ସରକାର ଦୁର୍ନିତି ରୋକିବାକୁ ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ସରକାରୀ ଅନୁଦାନ ଅର୍ଥ ଆତ୍ମସାତ ଘଟଣାରେ ଜିଲ୍ଲାପ୍ରଶାସନର ଏପରି କୋହଳ ଭନୋଭାବ ପ୍ରଶାସନିକ ତଦନ୍ତର ସ୍ୱଚ୍ଛତା ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ