ସୂର୍ଯ୍ୟବଂଶୀରେ ରହିଛି ସିଂଘମ୍‌ -୩ର ଝଲକ୍‌

ମୁମ୍ବାଇ : ଅଭିନେତା ଅଜୟ ଦେବଗନ୍‌ଙ୍କ ଲୋକପ୍ରିୟ ଚରିତ୍ର ଡିସିପି ବାଜରାଓ୍ବ ସିଂଘମ୍‌ଙ୍କୁ ପୁଣିଥରେ ପରଦା ଉପରେ ଦେଖିବା ନେଇ ପ୍ରଶଂସକମାନେ ଅଧୈର୍ଯ୍ୟ ହୋଇ ଅପେକ୍ଷା କରିରହିଛନ୍ତି । ତେବେ ତାଙ୍କ ଅପେକ୍ଷାକୁ ଆହୁରି ମଜାଦାର କରିବା ପାଇଁ ସୁପରଷ୍ଟାର ଅଭିନେତା ଅଜୟ ଏହି ଫିଲ୍ମର ରିଲିଜ୍‌ ହେବା ନେଇ ସଂକେତ ଦେଇଛନ୍ତି । ସିଂଘମ୍‌ -୩କୁ ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରେ ଅଜୟ କହିଛନ୍ତି ଯେ, ହଁ, ଏହି ଫିଲ୍ମଟି ନିର୍ମାଣ ହେବ । କିନ୍ତୁ ଏହା ପୂର୍ବରୁ ଆମେ ଗୋଲ୍‌ମାଲ୍‌ କରୁଛୁ । ଏହା ପରେ ବୋଧେ ସିଂଘମ୍‌ ହେବ । ଆପଣମାନେ ଯେତେବେଳେ ସୂର୍ଯ୍ୟବଂଶୀ ଦେଖିବେ, ତେବେ ଆପଣ ପଚାରିଥିବା ପ୍ରଶ୍ନର ଉତ୍ତର ପାଇପାରିବେ । ଏହାର ଉତ୍ତର ଏହି ଫିଲ୍ମରେ ଲୁଚି ରହିଛି । ଏମିତିରେ ବି ସୂର୍ଯ୍ୟବଂଶୀରେ ମୁଁ ଅଛି ବୋଲି କହିଛନ୍ତି ଅଜୟ । ରୋହିତ ସେଟ୍‌ଟିଙ୍କ ପୁଲିସ୍‌ ଡ୍ରାମା ଉପରେ ଆଧାରିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ମୁଖ୍ୟ ଭୂମିକାରେ ରହିଛନ୍ତି ଅକ୍ଷୟ କୁମାର । ଏହି ଫିଲ୍ମଟି ମାର୍ଚ୍ଚ ମାସରେ ରିଲିଜ୍‌ ହେବ । ତେବେ ଦର୍ଶକଙ୍କୁ ‘ସିଂଘମ୍‌-୩’ର ବିଷୟରେ ଅଧିକ କିଛି ଜାଣିବାକୁ ଥିଲେ ଆଉ କିଛି ମାସ ଅପେକ୍ଷା କରିବାକୁ ପଡ଼ିବ । ତେବେ ଅଜୟ ତାଙ୍କର ଅପକମିଙ୍ଗ ଫିଲ୍ମ ‘ତାନାଜୀ : ଦ ଅନସଙ୍ଗ୍‌ ଓ୍ବାରିଅର୍‌’ର ପ୍ରମୋସନର ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମଟି ଛତ୍ରପତି ଶିବାଜୀ ମହାରାଜଙ୍କ ମରାଠା ସେନାରେ ରହିଥିବା ଜଣେ ବାହାଦୂର ସେନାପତି ତାନାଜୀ ମାଲୁସିରେଙ୍କ ଜୀବନୀ ଉପରେ ଆଧାରିତ। କିନ୍ତୁ ଇତିହାସର ପୁସ୍ତକରେ ତାନାଜୀଙ୍କ ଉପରେ ଗୋଟେ ପାରାଗ୍ରାଫ୍‌ଠାରୁ ଅଧିକ ତଥ୍ୟ ଜାଣିବାକୁ ମିଳେନାହିଁ। ଏଥିପାଇଁ ଅଜୟ ତାନାଜୀଙ୍କ ଉପରେ ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ । ‘ତାନାଜୀ : ଦ ଅନ୍‌ସଙ୍ଗ ଓ୍ବାରିଅର୍‌’ରେ ଅଜୟଙ୍କ ସହିତ କାଜୋଲ୍‌, ସୈଫ୍‌ଅଲୀ ଖାନ୍‌, ଶରଦ୍‌ କେଲକର୍‌ ଓ ଲ୍ୟୁକ୍‌ କେନି ପ୍ରମୁଖ ଭୂମିକାରେ ରହିଛନ୍ତି । ଓମ୍‌ ରାଉଲ୍‌ଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଜାନୁଆରୀ ୧୦ ତାରିଖରେ ପ୍ରଦର୍ଶିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ