ସୃଷ୍ଟିକର୍ତ୍ତାଙ୍କ ଅମୂଲ୍ୟ ବରଦାନ : ଜନ୍ମାଷ୍ଟମୀରେ କଳ୍ପବୃକ୍ଷ ଅଭିଯାନର ଶୁଭାରମ୍ଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଅର୍ଥାତ୍ ପବିତ୍ର ଜନ୍ମାଷ୍ଟମୀରେ ସହରଠୁ ଧରି ପୁରପଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ପରିବେଶ ଦେଖିବାକୁ ମିଳିଥିଲା । ସବୁଠି ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ବେଳେ ରାଜଧାନୀ ଭୁବନେଶ୍ୱରର କିଛି ବୃକ୍ଷପ୍ରେମୀ ଓ ପରିବେଶବିତ୍ ଏକତ୍ରିତ ହୋଇ ଭଗବାନଙ୍କ ଜନ୍ମ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏକାମ୍ରକ୍ଷେତ୍ରର ଐତିହ୍ୟ ସମ୍ପନ୍ନ ଦୟାନଦୀ କୂଳରୁ ଏହି ପୂଣ୍ୟତିଥିରେ ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଶୁଭାରମ୍ଭ ହୋଇଛି କଳ୍ପବୃକ୍ଷ ଅଭିଯାନ ।
ଏ ସମ୍ପର୍କରେ ଶ୍ରୀ ସାହୁ କୁହନ୍ତି ସମ୍ପ୍ରତି ଜଙ୍ଗଲ ଧ୍ୱଂସ ଫଳରେ ପୃଥିବୀରେ ଦେଖାଦେଇଛି ଅନେକ ସମସ୍ୟା ଯଥା-ବିଶ୍ୱତାପନ, ଅମ୍ଲଜାନ ପରିମାଣ ହ୍ରାସ, ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ପରି ସୃଷ୍ଟି ହେଉଛି ଅନେକ ସମସ୍ୟା । ପରିବେଶ ସୁରକ୍ଷା ପାଇଁ ବହୁବର୍ଷ ଧରି ବଞ୍ଚୁଥିବା ଏହି ଅକ୍ଷୟ ବର ଓ ଅଶ୍ୱତ୍ଥ ବର୍ତ୍ତମାନ ପରିସ୍ଥିତି ପାଇଁ ନିତାନ୍ତ ଜରୁରୀ । ବୈଜ୍ଞାନିକମାନେ ଗବେଷଣା କରି ପାଇଛନ୍ତି ଗୁଳ୍ମ ମଧ୍ୟରେ ତୁଳସୀ ଓ ଦ୍ରୁମ ମଧ୍ୟରେ ଅଶ୍ୱତ୍ଥ ଓ ବର ସର୍ବାଧିକ ଅମ୍ଲଜାନ ପ୍ରଦାନ କରିଥାନ୍ତି । ବାୟୁମଣ୍ଡଳକୁ ପ୍ରଦୂଷଣମୁକ୍ତ ରଖିବା ଦିଗରେ ବର ଓ ଅଶ୍ୱତ୍ଥ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯୁଗେ ଯୁଗେ ଏହି ବୃକ୍ଷ ଆମର ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ ସହାୟ ହୋଇଆସିଛି । ଏହା ପବିତ୍ରତାର ପ୍ରତୀକ ହୋଇଥିବାରୁ ଏହାର ଛାୟା ତଳେ ବିଭିନ୍ନ ଧାର୍ମିକ ଓ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ପୁରାଣ କହେ ଏ ବୃକ୍ଷ ସ୍ୱର୍ଗରେ ଥିଲା । ପୃଥିବୀକୁ ଆସି ତା ନାମ କଳ୍ପବଟ ହୋଇଗଲା । ଯଥାର୍ଥରେ ସୃଷ୍ଟିକର୍ତ୍ତାଙ୍କର ଏହା ଏକ ଅମୂଲ୍ୟ ବରଦାନ । ଏହା ମଧ୍ୟ ଅନେକ ରୋଗର ମହୌଷଧି । ସମ୍ପ୍ରତି ଏହି ବୃକ୍ଷର ସୁରକ୍ଷା ସହ ବ୍ୟାପକ ପରିମାଣରେ ରୋପଣ କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ତେବେ ଯାଇ ଆମେ ଏକ ସୁନ୍ଦର, ସବୁଜ ଓ ପ୍ରଦୂଷଣମୁକ୍ତ ପରିବେଶ ସୃଷ୍ଟି କରିପାରିବା । ଏହି ପବିତ୍ର ଦିନରେ ସର୍ବମୋଟ ୩୫ଟି ବର ଓ ଅଶ୍ୱତ୍ଥ ଦୟାନଦୀର କୂଳ ଏବଂ ଦାରୁଠେଙ୍ଗ ନିକଟସ୍ଥ ଚନ୍ଦକା ଜଙ୍ଗଲରେ ରୋପଣ କରାଯାଇଥିଲା । ଅଭିଯାନକୁ ଆନୁଷ୍ଠାନିକ ରୂପେ ଓଡ଼ିଶା ଲଳିତକଳା ଏକାଡ଼େମୀର ସଚିବ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଉଦ୍ଘାଟନ କରିଥିଲେ । ଅଭିଯାନରେ ବୃକ୍ଷପ୍ରେମୀ ପ୍ରିୟବ୍ରତ ପଣ୍ଡା, ତ୍ରିଲୋଚନ ବେଉରା, ସଂଗ୍ରାମ କେଶରୀ ସାହୁ, ସନ୍ତୋଷ କୁମାର ଦାଶ, ଅଜୟ କୁମାର ଲେଙ୍କା ପ୍ରମୁଖ ଚାରାରୋପଣ କାର୍ଯ୍ୟରେ ସହଯୋଗ କରିଥିଲେ । ସୃଷ୍ଟିକର୍ତ୍ତାଙ୍କ ଜନ୍ମ ଉତ୍ସବରେ ପ୍ରତିଟି ଭକ୍ତ ଓ ଶ୍ରଦ୍ଧାଳୁ ଗୋଟିଏ ଲେଖାଏଁ ବର ଓ ଅଶ୍ୱତ୍ଥ ଗଛ ଲଗାଇବା ପାଇଁ ସଂକଳ୍ପ ନିଅନ୍ତୁ ବୋଲି ଶ୍ରୀ ସାହୁ ଏହି ଅବସରରେ ନିବେଦନ କରିଛନ୍ତି ।


