ସ୍କାଉଟସ୍ ଏବଂ ଗାଇଡସ୍ ଏସିଆ ପ୍ୟାସିଫିକ୍ : ନିର୍ଦ୍ଦେଶକ ମାନ୍ୟବର ରାଜ୍ୟପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : -ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ବିଭିନ୍ନ ପ୍ରକଳ୍ପ (ଚାଇଲ୍ଡ ଏଜୁକେସନ, କ୍ଲିନ୍ ଇଣ୍ଡିଆ, ଫିଟ୍ ଇଣ୍ଡିଆ) ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକରି ଆସୁଅଛି । ଓଡିଶାର ଏହି କାର୍ଯ୍ୟ ଏସିଆ ପ୍ୟାସିଫିକ୍ ଦ୍ୱାରା ମନୋନୀତ ହୋଇଥିବାରୁ ଏହି କାର୍ଯ୍ୟକୁ ପ୍ରଥମ ଥର ପାଇଁ ସୁଦୁର ଏସିଆ ପ୍ୟାସିଫିକ୍ ରିଜିଅନ, ଫିଲିପାଇନସ୍ରୁ ୬ ଜଣିଆ ଉଚ୍ଚ ପଦସ୍ତ ଅଫିସର ଦୁଇ ଦିନିଆ ପରିଦର୍ଶନ କରିବାକୁ ଆସିଛନ୍ତି । ଏହି ପରିଦର୍ଶକ ଦଳରେ ଆଞ୍ଚଳିକ ନିର୍ଦ୍ଦେଶକ ଜେ.ଆର୍.ସି. ପାଙ୍ଗିଲିନାନ୍, ନିର୍ଦ୍ଦେଶକ ଶିକ୍ଷା ପ୍ରଣାଳୀ ସିଡ୍ କାଷ୍ଟିଲୋ, ପ୍ରକଳ୍ପ ଅଧିକାରୀ ଲାନ୍ସ ପାପା ଇଭରସନ ବନ, ଅଧିକାରୀ ଆର୍ଯ୍ୟ ଫ୍ରାନ୍ସିସ୍କୋ କାମେରୋଷ, ପ୍ରବନ୍ଧକ ବ୍ୟାଟ୍ରେରିଜ୍ କାନେଡିସ୍ ଏବଂ ଏନ୍.ଏସ୍.ଓ କୋଡିନେଟର ତଥା ଅତିରିକ୍ତ ଅନ୍ତର୍ଜାତୀୟ କମିଶନର ମଧୁସୁଦନ ଆଭାଲା ଅଛନ୍ତି । ଆଜି ମଧ୍ୟାହ୍ନରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରି ରାଜ୍ୟ ସ୍କାଉଟିଂର ସଫଳତା ସହିତ ଏହି ପରିଦର୍ଶନର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଯୋଗଦେଇଥିବା ଉକ୍ତ ପ୍ରତିନିଧି ମଣ୍ଡଳୀ ଏସିଆ ପ୍ୟାସିଫିକ୍ ଅଞ୍ଚଳର ସ୍କାଉଟସ୍ ଓ ଗାଇଡସ୍ ସଂସ୍ଥା ଯେଉଁ ସବୁ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି ସେ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ମାନ୍ୟବର ରାଜ୍ୟପାଳ ଏଥିରେ ସନ୍ତୋଷ ବ୍ୟକ୍ତ କରିବା ସହିତ ବର୍ତ୍ତମାନ ଯୁଦ୍ଧଖୋର ପୃଥିବୀରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସ୍କାଉଟସ୍ ଗାଇଡସ୍ କାମ କରିବାକୁ ପରାମର୍ଶ ଦେଇଥିଲେ ।


