ସ୍କୁଲକୁ ଯିବାକୁ ଡରୁଛନ୍ତି କି ଶିକ୍ଷା ଅଧିକାରୀ, ସିଆରସିସିଙ୍କ ମାଧ୍ୟମରେ ହେଲା ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସଢ଼ା ପଞ୍ଚାୟତର ଶୀଳପୋଖରୀ ସ୍କୁଲରେ ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚାର୍ଜ ନଦେଇ ବିଦ୍ୟାଳୟରୁ ରିଲିଭ ହୋଇ ଆସି ଅନ୍ୟ ସ୍କୁଲରେ ଶିକ୍ଷାଦାନ କରୁଛନ୍ତି । ଯାହାଦ୍ୱାରାକି ଏହି ସ୍କୁଲର ଛାତ୍ରଛାତ୍ରୀମାନେ ଗତ କରେନା ସମୟରୁ ଆଜି ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଅନୁଦାନ ପାଇପାରି ନାହାନ୍ତି କି ପୋଷାକ ମଧ୍ୟ ପାଇ ନାହାନ୍ତି । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେବି ବ୍ଲକ ଶିକ୍ଷା ଅଧିକାରୀ ଆଜି ପର୍ଯ୍ୟନ୍ତ ଏହି ସ୍କୁଲକୁ ପରିଦର୍ଶନ କଲେ ନାହିଁ । ଗତ ଦୁଇଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦ ଥିଲେବି ବିଭାଗୀୟ ଅଧିକାରୀଙ୍କ ପାଖରେ ଏହି ଖବର ନଥିବାବେଳେ ଆଜି ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ମଧ୍ୟ କେହି ଅଧିକାରୀ ଏହି ସ୍କୁଲକୁ ଯାଇ ନାହାନ୍ତି । କେବଳ ସିଆରସିସିଙ୍କ ମାଧ୍ୟମରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରି ପିଲାମାନଙ୍କୁ ଦିଆଯାଇଛି । କିନ୍ତୁ ଏହି ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ କିପରି ଓ କାହାକୁ ପ୍ରଧାନଶିକ୍ଷକ ଚାର୍ଜ ଦେବେ ସେନେଇ କୌଣସି ବ୍ୟବସ୍ଥା ମଧ୍ୟ କରୁ ନାହାନ୍ତି । ଯାହାଦ୍ୱାରାକି ବିଦ୍ୟାଳୟରେ ଅଚଳାବସ୍ଥା ଦେଖା ଦେଇଛି । ଆମ ସ୍କୁଲରେ କଣ ହୋଇଛି ଯେ ଆଜକୁ ତିନିବର୍ଷ ହେଲା କୌଣସି ଅଧିକାରୀ ଆମ ସ୍କୁଲକୁ ଆସୁ ନାହାନ୍ତି, କାହିଁକି ଭୟ କରୁଛନ୍ତି ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବିଇଓ ଅଭୟ କୁମାର ବେହେରାଙ୍କୁ ପଚାରିବାରେ ଆଜି ସେ ଘଟଗାଁ ବ୍ଲକରେ ଅଫିସ କାର୍ଯ୍ୟରେ ବ୍ୟସ୍ତ ଥିବା କହିଛନ୍ତି । ସେହିପରି ଏବିଇଓ ଧନେଶ୍ୱର ଖଣ୍ଡେଇ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ବିଇଓ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।


