ସ୍କୁଲ ପାଖରେ ମୁକୁଳା ବିଦ୍ୟୁତ୍ ଟ୍ରାନ୍ସଫର୍ମର,ପ୍ରଶାସନ ନିଦ୍ରାରେ …

ବେଲଗୁଣ୍ଠା,( ଶିବରାମ ଚୌଧୁରୀ): କିଛି ଦିନ ତଳେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ନିକଟସ୍ଥ ମେଣ୍ଢରାଜପୁର ବିଦ୍ୟୁତ୍ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ଖବର ସାରା ଓଡିଶାରେ ଚହଳ ପକାଇଥିଲା ।ଠିକ୍ ତାହାର ଦୁଇଦିନ ପରେ ବେଲଗୁଣ୍ଠା ସନ୍ନିକଟ କୋକଲୁଣ୍ଡା ଠାରେ ବିଦ୍ୟୁତ୍ ଆଘାତରେ ଜେଜେ ମା ଓ ନାତିଙ୍କ ମୃତ୍ୟୁ ଘଟିଥିଲା ।ମେଣ୍ଢରାଜପୁର ଘଟଣା ପରେ ରାଜ୍ୟ ସରକାର ସମସ୍ତ ଅସଜଡା ବିଦ୍ୟୁତ୍ ଭିତ୍ତିଭୂମିକୁ ସଜାଡିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।ହେଲେ ବେଲଗୁଣ୍ଠା ବିଦ୍ୟୁତ୍ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି ଜନଗହଳି ପୁର୍ଣ୍ଣ ଅଞ୍ଚଳରେ ତଥା ବେଲଗୁଣ୍ଠା-ବାଲିପଦର ରୋଡରେ ଵହୁଦିନରୁ ମୁକୁଳା ଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ।ଆହୁରି ମଧ୍ୟ ଏହା ଗୋପିନାଥ ସାହି ନିକଟସ୍ଥ ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ମାତ୍ର ୧୦ମିଟର ଦୁରତାରେ ଅବସ୍ଥିତ ।ଏହି ରାସ୍ତାରେ ଦୈନିକ ଶହ ଶହ ଗାଡି ଯାତାୟାତ କରୁଥିବା ବେଳେ ସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ପଢ଼ନ୍ତି ।ଟ୍ରାନ୍ସଫର୍ମର ମୁକୁଳାଥିବାରୁ କେତେବେଳେ କେଉଁ ଅଘଟଣ ଘଟିଯିବ କିଛି କହିହେବ ନାହିଁ ।ଏପରି ରାସ୍ତା କଡରେ ଏବଂ ସ୍କୁଲ୍ ପାଖରେ ଟ୍ରାନ୍ସଫର୍ମରଟି ଥିବାରୁ ତୁରନ୍ତ ଏହାର ଚାରିପଟେ ବାଡ ତିଆରି କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ