ସ୍ୱାଧୀନତାର ୭୮ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ କେ.ବାଲିପାଳ ପଞ୍ଚାୟତ ବାସୀ

ହାଟଡିହି, (ବିକାଶ ବିଶ୍ୱାଳ):ସ୍ୱାଧୀନତାର ୭୮ବର୍ଷ ପରେ ବି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ର ଆଦିବାସୀ ବହୁଳ କେ, ବାଲିପାଳ ପଞ୍ଚାୟତବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, କଂକ୍ରିଟ ରାସ୍ତା, ନିୟମିତ ବିଦ୍ୟୁତ୍ ସେବା, ପାନୀୟଜଳ, ମୋବାଇଲ ସେବା, ଏମାନଙ୍କ ପାଇଁ ସାତସପନ ପାଲଟିଛି । କେ, ବାଲିପାଳ ଅଞ୍ଚଳ ଦୀର୍ଘଦିନ ଧରି ବାଙ୍ଗୋର ପଞ୍ଚାୟତ ଅଧୀନରେ ଥିଲା। ନୂତନ ଭାବେ କେ, ବାଲିପାଳ ପଞ୍ଚାୟତ ଗଠିତ ହେବା ପରେ ଲୋକେ ସହଜରେ ମୌଳିକ ସୁବିଧା ପାଇବେ ବୋଲି ଆଶା କରିଥିଲେ । ପଞ୍ଚାୟତର ରୂପ ରେଖ ବଦଳିବା ସହିତ ଗାଁ ରାସ୍ତାର ରୂପରେଖ ବଦଳିବ ବୋଲି ଆଶା ଥିଲା। ଇତିମଧ୍ୟରେ ୨୦ ବର୍ଷରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ପଞ୍ଚାୟତରେ ସେଭଳି ଆଖିଦୃଶିଆ ବିକାଶ ହୋଇପାରିନି। ଏହି ପଞ୍ଚାଯ ୟତର ୯୮ ଭାଗ ଲୋକ ଆଦିବାସୀ ଶ୍ରେଣୀର। ମୂଲ ଲାଗି ଓ ଜଙ୍ଗଲରୁ କାଠ ସଂଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ନିର୍ବାଚନ ଆସିଲେ ନେତାମାନଙ୍କ ଏହି ପଞ୍ଚାୟତ କଥା ମନେ ପଡ଼େ। ଲୋକେ ମଧ୍ୟ ଗାଁକୁ ପ୍ରଚାର କରିବାକୁ ଆସୁଥିବା ନେତା ମାନଙ୍କୁ ବନ୍ଦାପନା କରି ପାଛୋଟି ନେଇଥାନ୍ତି । ହେଲେ ନିର୍ବାଚନ ପରେ ନେତା ପଞ୍ଚାୟତ କଥା ଭୁଲିଯାଆନ୍ତି। ପଞ୍ଚାୟତର ଶତ ପ୍ରତିଶତ ଲୋକ ଶ୍ରମିକ। କିନ୍ତୁ ଏଠାରେ ମନରେଗା ଯୋଜନାରେ ସେମାନଙ୍କୁ କାମ ମିଳୁନି। ମନରେଗା କାର୍ଯ୍ୟ କେବନ ଉପର ଠାଉରିଆ ଭାବେ ଓ କାଗଜ କଲମରେ ଚାଲେ । ପଞ୍ଚାୟତବାସୀ ରାସ୍ତା, ପାଣି, ସ୍ବାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ୍ ଓ ମୋବାଇଲ ସେବା ଭଳି ଓ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏଠାକାର ଲୋକେ ହଦଗଡ଼ ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ପାହାଡ଼ ଜଙ୍ଗଲ ଘେରା ଅଞ୍ଚଳକୁ ଆସି ଜନବସତି ସ୍ଥାପନ କଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ଜମିପଟ୍ଟା ମିଳିନାହିଁ। ଫଳରେ ସେମାନେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ପାଉନାହାନ୍ତି। ଏହାର ପ୍ରତିବାଦରେ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତବାସୀ ଭୋଟ ବର୍ଜନ କରିଥିଲେ ମଧ୍ୟ ପ୍ରଶାସନ କୌଣସି ତତ୍ପରତା ପ୍ରକାଶ କଲାନାହିଁ। କେ, ବାଲିପାଳ ଓ ଡଙ୍ଗାବାହାଳି ଗ୍ରାମକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଖରାଦିନେ ବିଲ ଭିତରେ ପଶି ଯାତାୟାତ କରୁଥିବା ବେଳେ ବର୍ଷାଦିନେ ଲୋକେ ଘରୁ ବାହାରିପାରୁ ନାହାନ୍ତି । ରୋଗୀକୁ ଖଟିଆରେ ବୋହି ରାଇଘାଟି ପର୍ଯ୍ୟନ୍ତ ଅଣାଯିବା ପରେ ସେଠାରୁ ଗାଡ଼ି କିମ୍ବା ଆମ୍ବୁଲାନ୍ସରେ ଡାକ୍ତରଖାନା ନେଉଛନ୍ତି । ଗାଁରେ ନଳକୂପ ଥିଲେ ମଧ୍ୟ କିଛି ନଳକୂପରୁ ଗୋଳିଆ ପାଣି ବହାରିବା ଓ ଆଉ କିଛି ନଳକୂପ ଖରାଦିନେ ଜଳସ୍ତର କମି ଯିବାରୁ ନଳକୂପ ଗୁଡିକ ଅଚଳ ହୋଇ ପଡୁଥିବାରୁ ତାହା ବ୍ୟବହାର ଉପଯୋଗୀ ହାଇପାରୁନି। ଏସବୁ ସମସ୍ୟାର ସମାଧାନ ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଇ ପାରିନି। ବିଶେଷ କରି ପଞ୍ଚାୟତ ଟି ବ୍ଲକ ର ଶେଷ ସୀମାରେ ଥିବାରୁ ଓ ଯିବାଆସିବା ପାଇଁ ଉପଯୁକ୍ତ ରାସ୍ତା ନ ଥିବାରୁ ଜିଲ୍ଲା କିମ୍ବା ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ ପାଦ ପଡେନି। ଯେଉଁଥି ପାଇଁ ପଞ୍ଚାୟତର ସମସ୍ୟା ସମ୍ପର୍କରେ ଅଧିକାରୀ ମାନେ ଜାଣିପାରି ନଥାନ୍ତି। ପ୍ରାଶାସନିକ ଅଧିକାରୀ ମାନେ ଏହି ପଞ୍ଚାୟତ ଗସ୍ତରେ ଆସି ଲୋକ ପଞ୍ଚାୟତ ଲାକଙ୍କ ସମସ୍ୟା ଦେଖନ୍ତୁ ଏବଂ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଅଞ୍ଚଳବାସୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ