ସ୍ୱାମୀଙ୍କୁ ଆକ୍ରମଣ ନେଇ ପତ୍ନୀଙ୍କ ଅଭିଯୋଗ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସ୍ୱାମୀଙ୍କୁ ଆକ୍ରମଣ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ପତ୍ନୀ କେନ୍ଦ୍ରାପଡା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି ପୋଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣା ଅନୁଯାଇ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ଲକ୍ଷ୍ମୀପ୍ରିୟା ଦାସ ଟାଉନ ଥାନାରେ କରିଥିବା ଅଭିଯୋଗ ଅନୁଯାଇ ରଣପଡାର ହୋଟେଲ ଗ୍ରାଣ୍ଡ ମୟୁରରୁ ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାଶ ଏକ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଗତ ୨୫ତାରିଖ ରାତି ପ୍ରାୟ ସାଢେ ୧୨ଟା ବେଳେ ସେଠାରେ ଉପସ୍ଥିତ ଥିବା କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମାଗୁରାଗଣ୍ଡ ପାଟଣା ଗ୍ରାମର ଜ୍ଞାନରଞ୍ଜନ ମହାନ୍ତି ନାମକ ଯୁବକ ଅତର୍କିତ ଭାବେ ତାଙ୍କ ସ୍ୱାମୀଙ୍କୁ ମାଡମାରିବା ସହିତ ଜୀବନରେ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ । ଏଥିରେ ତାଙ୍କ ସ୍ୱାମୀ ଖଣ୍ଡିଆଖାବରା ହୋଇ ତାଙ୍କ ଦେହରୁ ରକ୍ତ ବାହାରିଥିଲା । ଏଥିସହିତ ତାଙ୍କ ସ୍ୱାମୀଙ୍କ ଛାତିରେ ଭିଷଣ ଆଘାତ ଲାଗିଥିଲା । ସେ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏସମ୍ପର୍କରେ କେନ୍ଦ୍ରାପଡା ଟାଉନ ଥାନାରେ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ସେହି ରାତିରେ ଅଭିଯୋଗ କରିଥିଲେ । ଏସମସ୍ତ ଘଟଣା ହୋଟେଲରେ ଲାଗିଥିବା ସି.ସି. କ୍ୟାମେରାରେ ରେକର୍ଡ ହୋଇଥିବା ମଧ୍ୟ ଅଭିଯୋଗକାରିଣୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ । କିନ୍ତୁ ଟାଉନ ଥାନା ପୋଲିସ ସେହି ଅଭିଯୋଗ ଉପରେ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଲକ୍ଷ୍ମୀପ୍ରୟା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୋଲିସର ଉଦାସୀନତା ବିରୋଧରେ ଲକ୍ଷ୍ମୀପ୍ରିୟା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ପୋଲିସକୁ ଚେତାବନୀ ଦେଇଛନ୍ତି ।


