ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେଲେ ରାଜ୍ୟ ସରକାର ଦାୟୀ ରହିବେ ଭକ୍ତଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି
ଭବାନୀପାଟଣା, (ଓ୍ବାଇଏନ୍ଏସ୍): ଅନଗ୍ରସର କେବିକେ ଅଞ୍ଚଳ ଲୋକଙ୍କୁ ରାଜ୍ୟର ଅନ୍ୟ ଅଞ୍ଚଳ ସହ କେବିକେ ଅଂଚଳ କୁ ସମକକ୍ଷ କରିବା ପାଇଁ ତତ୍କାଳୀନ କେନ୍ଦ୍ର କଂଗ୍ରେସ ସରକାର କେବିକେ ଯୋଜନା ପ୍ରଣୟନ କରିଥିଲେ ।ଲକ୍ଷ୍ୟ ଥିଲା କେବିକେ ଅଂଚଳର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶ କରିବା ସହ ଏହି ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ର ଭିତ୍ତିଭୂମିର ବିକାଶ କରିବା ।କିନ୍ତୁ କେବିକେ ଯୋଜନା ପ୍ରଣୟନ ର ଅନେକ ବର୍ଷ ପରେ ମଧ୍ୟ ଏହି କେବିକେ ଅଂଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ବର୍ତ୍ତମାନ କେବିକେ ଅଞ୍ଚଳ ର ୮ ଟି ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୋନପୁର ଜିଲ୍ଲା ମାନଙ୍କର ପ୍ରତ୍ୟେକ ଜିଲ୍ଲାରେ ଶହ ଶହ ଡାକ୍ତର ପଦବୀ ଖାଲି ପଡ଼ିଛି ।କଳାହାଣ୍ଡି ଜିଲ୍ଲାରେ ୧୪୪ ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ଜିଲ୍ଲା ସଦର ମହକୁମା ମୁଖ୍ୟ ଡାକ୍ତର ଖାନା ରେ ୪୦ ଟି ଡାକ୍ତର ପଦବୀ ଖାଲି ଅଛି ।ଏହିପରି ଏକ ସ୍ୱାସ୍ଥ୍ୟ ସମସ୍ୟା ସମୟରେ ରାଜ୍ୟ ସରକାର କେବିକେ ଅଂଚଳର ୬ ଗୋଟି ଜିଲ୍ଲା ରୁ ୧୦୦ ଜଣ ଡାକ୍ତରଙ୍କୁ ଗଞ୍ଜାମ ଜିଲ୍ଲାର କୋରନା ମହାମାରୀ ମୁକାବିଲା ପାଇଁ ବଦଳି କରିଛନ୍ତି । ଏହାର ପ୍ରତିବାର ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଭାରତ ଭୂଷଣ ବେମାଲ ଙ୍କ ନେତୃତ୍ୱରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳ ଜରିଆରେ ଏକ ଦାବିପତ୍ର ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ ତୁରନ୍ତ ରାଜ୍ୟ ସରକାର ଡାକ୍ତର ଙ୍କ ବଦଳି ବାତିଲ କରିବା ସହ କେବିକେ ଜିଲ୍ଲା ମାନଙ୍କରେ ଖାଲିପଡିଥିବା ଡାକ୍ତର ପଦବୀ ପୂରଣ ସହ କୋରାପୁଟ ଓ ବଲାଙ୍ଗୀର ସରକାରୀ ମେଡିକାଲ କଲେଜ ରେ ମଞ୍ଜୁର ହୋଇଥିବା ପ୍ରାଧ୍ୟାପକ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଦାବି କରିଛନ୍ତି ।ନଚେତ ଆଗାମୀ ଦିନରେ ଏହି କେବିକେ ଜିଲ୍ଲା ମାନଙ୍କରେ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହେଲେ ରାଜ୍ୟ ସରକାର ଦାୟୀ ରହିବେ ଓ ବ୍ୟାପକ ଗଣ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଭକ୍ତ ଦାସ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।


