ଯୋଗେଶ୍ୱର ଓ ବବିତା ଚିତପଟାଙ୍ଗ, ଜିତିଲେ ସନ୍ଦୀପ
ନୂଆଦିଲ୍ଲୀ: ରାଜନୀତି ଆଖଡ଼ାରେ ପ୍ରଥମଥର ପାଇଁ ଲଢ଼େଇ କରିବାକୁ ଆସିଥିବା ରେସଲର ଯାଗେଶ୍ୱର ଦତ୍ତ ଓ ବବିତା ଫୋଗାଟ ଚିତପଟାଙ୍ଗ ମାରିଛନ୍ତି । ତେବେ ହକି ଷ୍ଟାର ସନ୍ଦୀପ ସିଂହ ବିଜେପିର ମାନ ରଖିବାରେ ସକ୍ଷମ ହୋଇଛନ୍ତି ।
ହରିଆଣା ବିଧାନସଭାରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଯାଗେଶ୍ୱରଙ୍କୁ କଂଗ୍ରେସ କୃଷ୍ଣ ହୁଡ୍ଡା ପରାସ୍ତ କରିଛନ୍ତି । ସେହିପରି ବିଜେପିର ଅନ୍ୟତମ ପ୍ରାର୍ଥୀ ବବିତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ସୋମବୀର ହରାଇ ଦେଇଛନ୍ତି ।
ଯୋଗେଶ୍ୱର ହରିଆଣାର ବରଦୋରା ଆସନରୁ ପ୍ରାର୍ଥୀ ହୋଇଥିଲେ । ଏଠାରେ ତାଙ୍କୁ କୃଷ୍ଣ ହୁଡ୍ଡା କଡ଼ା ଟକ୍କର ଦେଇଥିଲେ । ଆଜି ଭୋଟ ଗଣତି ଆରମ୍ଭରୁ ଯୋଗେଶ୍ୱର ଆଗରେ ରହିଥିଲେ । ତେବେ କିଛି ରାଉଣ୍ଡର ଗଣତି ପରେ ପୂରା ଖେଳ ବୁଲି ଯାଇଥିଲା । ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଥିବା ଯୋଗେଶ୍ୱରଙ୍କୁ କୃଷ୍ଣ ହୁଡ୍ଡା ପଛରେ ପକାଇ ଦେଇଥିଲେ । ଯାଗେଶ୍ୱରଙ୍କୁ ମାତ୍ର ୪ ହଜାର ଭୋଟରେ ପରାସ୍ତ ହେବାକୁ ପଡ଼ିଛି । ନିର୍ବାଚନ ଲଢ଼ିବା ପାଇଁ ଯାଗେଶ୍ୱର ଡିଏସ୍ପି ପଦରୁ ଇସ୍ତଫା ଦେଇଥିଲେ । ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଦୁଇଥର ସ୍ୱର୍ଣ୍ଣ ପଦକ ଜିତିଥିବା ବବିତା କୁମାରୀଙ୍କ ମୁକାବିଲା ଦାଦ୍ରୀରେ ସ୍ୱାଧୀନ ପ୍ରାର୍ଥୀ ସୋମବୀରଙ୍କ ସହ ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ବାଚନ ଲଢ଼ିବା ପାଇଁ ବବିତା ହରିଆଣା ପୁଲିସ୍ ବାହିନୀରୁ ଇସ୍ତଫା ମଧ୍ୟ ଦେଇଥିଲେ । ହେଲେ ତାଙ୍କୁ ସୋମବୀର ପରାସ୍ତ କରିଦେଇଛନ୍ତି ।
ଅନ୍ୟପକ୍ଷରେ ଏକମାତ୍ର କ୍ରୀଡ଼ାବିତ ଭାବେ ହକି ଷ୍ଟାର ସନ୍ଦୀପ ସିଂହ ବିଜେପିର ମାନ ରଖିପାରିଛନ୍ତି । ପେହୁୱା ଆସନରୁ ପ୍ରାର୍ଥୀ ହୋଇଥିବା ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ସନ୍ଦୀପଙ୍କ ମୁକାବିଲା କଂଗ୍ରେସର ମନଦୀପ ସିଂହଙ୍କ ସହ ହୋଇଥିଲା । ତେବେ ଏଠାରେ ମନଦୀପଙ୍କୁ ସେ ପରାସ୍ତ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।


